ବିଡିଓ ସାଜିଲେ ଶ୍ରମିକ

ନବରଙ୍ଗପୁର: ଭାଇରାଲ ହେଉଛି ବିଡିଓଙ୍କ ଶ୍ରମିକ ସାଜିଥିବା ଭିଡିଓ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଘର ଅସମ୍ପୂର୍ଣ୍ଣ ହୋଇଥିବାରୁ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ନବରଙ୍ଗପୁର ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀ ଶ୍ରମିକ ସାଜିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିଡିଓଙ୍କର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ସୂଚନା ମୁତାବକ, ଜମାଦାରପଡା ପଂଚାୟତ ପିପଲପଡା ଗ୍ରାମର ମକର ସୋରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୯/୨୦ ଆର୍ଥିକ ବର୍ଷରେ ଘର ପାଇଥିଲେ । ତେବେ ସେ ଛାତ ଉଠିବା ପର‌୍ୟ୍ୟନ୍ତ କାମ କରି ଛାଡି ଦେଇଥିଲେ ।

ସେପଟେ ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ବ୍ଲକ ଏବଂ ପଂଚାୟତ ପକ୍ଷରୁ ତାଙ୍କୁ ବାରମ୍ବାର କୁହାଯାଉଥିଲେ ମଧ୍ୟ ସେ ଶ୍ରମିକ ଓ ମିସ୍ତ୍ରୀ ନମିଳିବା କହି କଥାକୁ ଏଡାଇ ଚାଲିଥିଲେ । ଫଳରେ ବିଡିଓ ଧର୍ମରାଜ ମାଝୀ ପିଇଓ ଲଛମନ ନିଆଳ ଏବଂ ଯୋଗାଣ ସହାୟକଙ୍କ ସହିତ ପିପଳପଡା ଯାଇ ସେଠାରେ ନିଜେ ହାତରେ ସିମେଂଟ କଡେଇ ଧରି ଶ୍ରମିକଙ୍କ ପରି କାମ କରିଥିଲେ ।

ଯାହାକି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ତେବେ ସରକାରଙ୍କ ପକ୍ଷରୁ ଆବାସ ଯୋଗାଇ ଦିଆଯାଉଥିବାବେଳେ ଲୋକେ ଅଧାଘର କରି ଛାଡିଦେଉଛନ୍ତି । ଯେଉଁଥି ଲାଗି ବିଡିଓ ଏପରି ଏକ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଥିବା କୁହାଯାଉଛି ।