ଆସନ୍ତା ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମର ମରାମତି କାମ ଜାରି; ୧୦କୋଟି ଅନୁଦାନ ଦେଲା ବିସିସିଆଇ

କଟକ:ଆସନ୍ତା ୨୨ ତାରିଖରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ତୃତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ। ଏହି ମ୍ୟାଚ୍ ଲାଗି ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଫନି ସମୟରେ କ୍ଷୟକ୍ଷତି ଘଟିଥିବା ଷ୍ଟାଡ଼ିୟମର ମରାମତି କାମ ମଧ୍ୟ ଜାରି ରହିଛି। ଏହା ମଧ୍ୟରେ ଓସିଏ ପାଇଁ ଆଶ୍ଵସ୍ତିକର ଖବର। ବାରବାଟୀ ପାଇଁ ୧୦ କୋଟି ଟଙ୍କାର ଅନୁଦାନ ଦେଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ଼(ବିସିସିଆଇ)। 

ଏହାର ସୂଚନା ସଂପାଦକ ସଞ୍ଜୟ କୁମାର ବେହେରା କହିଛନ୍ତି ଯେ, ଦିନିକିଆ ପାଇଁ ପ୍ରସ୍ତୁତି ଓ ଷ୍ଟାଡ଼ିୟମ ମରାମତି ଲାଗି ବିସିସିଆଇ ଏହି ୧୦ କୋଟି ଟଙ୍କାର ଅନୁଦାନ ଦେଇଛି। ଅନ୍ୟପକ୍ଷେ ଡିସେମ୍ବର ୨୨ ତାରିଖରେ ହେବାକୁ ଥିବା ଦିନିକିଆ ପାଇଁ ଓସିଏ ପକ୍ଷରୁ ୬ କୋଟିର ବଜେଟ୍ କରାଯାଇଛି। ଏହା ସହିତ ୨୨ କୋଟିର ବୀମା କରାଯାଇଥିବା ସଞ୍ଜୟ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମେ ୩ରେ ରାଜ୍ୟରେ ହୋଇଥିବା ଭୟାବହ ବାତ୍ୟା ଫନିରେ ଷ୍ଟାଡ଼ିୟମର ଅନେକାଂଶ କ୍ଷତି ଘଟିଥିଲା। ଫଳରେ ଭାରତ-ଓ୍ଵେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ଆୟୋଜନ ନେଇ ଅନିଶ୍ଚିତତା ଦେଖାଯାଇଥିଲା। ବିସିସିଆଇଠୁ ଷ୍ଟାଡ଼ିୟମର ମରାମତି ପାଇଁ ଅନୁଦାନ ମିଳିଲେ ଯାଇ ଖେଳ ହୋଇ ପାରିବ ବୋଲି ସଞ୍ଜୟ ବେହେରା କହିଥିଲେ। ପରେ ବିସିସିଆଇଠୁ ଅନୁଦାନ ନେଇ ନିର୍ଭର ପ୍ରତିଶ୍ରୁତି ମିଳିଥିଲା। 

ସଂପ୍ରତି ମ୍ୟାଚ୍ ଲାଗି ପିଚ୍ କାମଠୁ ନେଇ ଗ୍ୟାଲେରୀ କାମ ପର୍ଯ୍ୟନ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଆସନ୍ତା ଡିସେମ୍ୱର ୫ ତାରିଖରୁ ଅନଲାଇନରେ ଟିକେଟ ବିକ୍ରି ହେବ । ସେହପରି ଡିସେମ୍ୱର ୧୯ରେ ଷ୍ଟାଡିୟମ କାଉଣ୍ଟରରୁ ଟିକେଟ ବିକ୍ରି କରାଯିବ। ଉଲ୍ଲେଖଯୋଗ୍ୟ, ଦୀର୍ଘ ବ୍ୟବଧାନ ପରେ କଟକରେ ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍ ହେବାକୁ ଯାଉଛି। 

ଶେଷ ଥର ୨୦୧୭ରେ ୧୯ ଜାନୁଆରୀ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ବାରବାଟୀରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ୧୫ ରନରେ ବିଜୟୀ ହୋଇଥିଲା। ଏହା ପରେ ବାରବାଟୀରେ ଦିନିକିଆ ମ୍ୟାଚ୍ ଖେଳାଯାଇନଥିଲା। ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ୨୦୧୭ ଡିସେମ୍ବର ୨୦ରେ ଖେଳାଯାଇଥିଲା। ତାହା ଟି-୨୦ ମ୍ୟାଚ୍ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। କିନ୍ତୁ ଅଢେଇ ବର୍ଷ ପରେ ବାରବାଟୀକୁ ଅନ୍ତରାଷ୍ଟ୍ରୀୟ ଦିନିକିଆ ମ୍ୟାଚ୍ ଫେରିଛି। ବାରବାଟୀରେ ଏ ପର୍ଯ୍ୟନ୍ତ ୨ଟି ଟେଷ୍ଟ, ୧୮ଟି ଦିନିକିଆ ଓ ଗୋଟିଏ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳାଯାଇଛି।