ମୁମ୍ବାଇ: ବିସିସିଆଇ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ସୋମବାର ନାମାଙ୍କନ ଦାଖଲ ହୋଇଛି, କିନ୍ତୁ ମଙ୍ଗଳବାର ପ୍ରାର୍ଥୀପତ୍ର ଯାଞ୍ଚ ହେଲା ପରେ ଫାଇନାଲ୍ ତାଲିକା ଜାରି ହୋଇଛି। ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି (କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ) ବିସିସିଆଇର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିଥିବା ବେଳେ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ପୁଅ ଜୟ ଶାହ ସମ୍ପାଦକ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ବିସିସିଆଇ ଇଲେକ୍ଟୋରାଲ୍ ଅଫିସର୍ ଏନ୍. ଗୋପାଲସ୍ୱାମୀ କହିଛନ୍ତି।
ଉପାଧ୍ୟକ୍ଷ ପଦବୀ ପାଇଁ ଉତ୍ତରାଖଣ୍ଡ କ୍ରିକେଟ୍ ଆସୋସିଏସନର ମହିମା ବର୍ମା ନିଜ ନାଁ ଦାଖଲ କରିଛନ୍ତି। ଯୁଗ୍ମ ସମ୍ପାଦକ ପାଇଁ ଜୟେଶ ଜର୍ଜ (କେରଳ କ୍ରିକେଟ୍ ଆସୋସିଏସନ୍) ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନର ଅରୁଣ ସିଂହ ଧୂମାଲ୍ କୋଷଧ୍ୟକ୍ଷ ପଦକ ପାଇଁ ନାମାଙ୍କନ ଭରିଛନ୍ତି। ସେ କେନ୍ଦ୍ରମନ୍ତ୍ରୀ ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁରଙ୍କ ସାନ ଭାଇ।
ଗଭର୍ଣ୍ଣିଂ କାଉନସିଲ୍ ପଦବୀ ପାଇଁ ଛତିଶଗଡ଼ ଷ୍ଟେଟ୍ କ୍ରିକେଟ୍ ସଂଘର ପ୍ରଭଜେତ୍ ସିଂହ ନାଁ ଆଗରେ ରହିଛି। ଅନ୍ୟପକ୍ଷରେ ବ୍ରିଜେଟ୍ ପର୍ଶୁରାମ ପଟେଲ (କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍) ଏବଂ ଏମ୍ ଖୈରୁଲ୍ ଜମାଲ୍ ମଜୁମଦାର (କ୍ରିକେଟ୍ ଆସୋସିଏସନ୍ ଅଫ୍ ମିଜୋରାମ୍) ମଧ୍ୟ ଗଭର୍ଣ୍ଣିଂ କାଉନସିଲ୍ ସଦସ୍ୟତା ପାଇଁ ନାମାଙ୍କନ କରିଛନ୍ତି। ସୋମବାର ଗାଙ୍ଗୁଲି କହିଥିଲେ, ଏହା ଭାରତୀୟ କ୍ରିକେଟ୍ ପ୍ରଶାସନ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସମୟ।
ଗାଙ୍ଗୁଲି ମଧ୍ୟ ମଙ୍ଗଳବାର ସମସ୍ତ ଅଧିକାରୀଙ୍କ ସହ ଫଟୋ ଶେଆର୍ କରିଛନ୍ତି। ଗାଙ୍ଗୁଲିଙ୍କ ସହ ଏହି ଫଟୋରେ ଜୟ ଶାହ, ଜୟେଶ ଜର୍ଜ, ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର, ଅରୁଣ ଧୂମାଲ୍ ଏବଂ ମହିମ୍ ବର୍ମା ଅଛନ୍ତି। ଗାଙ୍ଗୁଲି ଏହି ଫଟୋ ପୋଷ୍ଟ କରି ଲେଖିଛନ୍ତି, “ବିସିସିଆଇର ନୂଆ ଟିମ୍। ଆଶା କରୁଛି ଯେ, ସମସ୍ତେ ମିଶିକି ଭଲ କାମ କରିବେ। ଏଥିପାଇଁ ଅନୁରାଗ ଠାକୁରଙ୍କୁ ଧବ୍ୟବାଦ।”