ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଆଜି ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ୨ଟି ଟେଷ୍ଟ, ୩ଟି ଦିନିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଟିମ୍ ଘୋଷଣା କରାଯାଇଛି। ତିନୋଟି ଯାକ ଫର୍ମାଟ୍‌ରେ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହା ସହିତ ବିଶ୍ୱକପ୍‌ ବେଳେ ଆହତ ହୋଇଥିବା ଶିଖର ଧାୱନ ମଧ୍ୟ ଟିମ୍‌କୁ ଫେରିଛନ୍ତି। ତାଙ୍କୁ ଦିନିକିଆ ଓ ଟି-ଟ୍ୱେଣ୍ଟି ଟିମ୍‌ରେ ସ୍ଥାନ ମିଳିଛି। ସେହିପରି ରୋହିତ ଶର୍ମା ଟେଷ୍ଟ୍ ଟିମ୍‌ରେ ସ୍ଥାନ ପାଇଛନ୍ତି। ଦିନିକିଆ ଓ ଟି-ଟ୍ୱେଣ୍ଟି ପାଇଁ ରୋହିତ ଶର୍ମାଙ୍କୁ ଉପ-ଅଧିନାୟକ କରାଯାଇଥିବା ବେଳେ ଟେଷ୍ଟ୍ ମ୍ୟାଚ୍‌ରେ ଏହି ଦାୟିତ୍ୱ ତୁଲାଇବେ ଆଜିଙ୍କ୍ୟ ରାହାଣେ। ଟେଷ୍ଟ୍ ଟିମ୍‌ରେ ଚେତେଶ୍ୱର ପୂଜାରା ବି ସାମିଲ ହୋଇଛନ୍ତି।

ୱିକେଟ୍ କିପର ଭାବେ ଋଷଭ ପନ୍ତଙ୍କୁ ତିନୋଟି ଯାକ ଫର୍ମାଟ୍‌ରେ ସ୍ଥାନ ମିଳିଛି। ଟେଷ୍ଟ୍ ଟିମ୍‌ରେ ୱିକେଟ୍ କିପର ଭାବେ ରିଦ୍ଧିମାନ ଶାହ ବି ସ୍ଥାନ ପାଇଛନ୍ତି। ବିଶ୍ୱକପ୍‌ ସେମି ଫାଇନାଲ୍‌ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ରବୀନ୍ଦ୍ର ଜାଡ଼େଜା ତିନୋଟି ଯାକ ଫର୍ମାଟ୍‌ରେ ସ୍ଥାନ ପାଇଛନ୍ତି। ସେହିଭଳି ଯଶପ୍ରୀତ୍ ବୁମ୍ରା ଟେଷ୍ଟ୍‌ ଟିମ୍‌ରେ ସ୍ଥାନ ପାଇଥିବା ବେଳେ ଦିନିକିଆ ଓ ଟି-ଟ୍ୱେଣ୍ଟିରେ ସ୍ଥାନ ପାଇ ନାହାନ୍ତି। ହନୁମା ବିହାରୀଙ୍କୁ ଟେଷ୍ଟ୍‌ରେ ସୁଯୋଗ ମିଳିଛି। ରବିଚନ୍ଦ୍ରନ ଅଶ୍ୱିନ ଓ ଇଶାନ୍ତ ଶର୍ମାଙ୍କୁ କେବଳ ଟେଷ୍ଟ ଦଳରେ ସାମିଲ କରାଯାଇଛି।

ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ ବେଳେ ପ୍ରଥମେ ୩ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଖେଳାଯିବ। ଅଗଷ୍ଟ ୩ ତାରିଖରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୪ ଓ ୬ ତାରିଖରେ ଅନ୍ୟ ଦୁଇଟି ମ୍ୟାଚ୍ ଖେଳା ଯିବ। ସେହିପରି ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଅଗଷ୍ଟ ୮ ତାରିଖରୁ ଆରମ୍ଭ ହେବ। ଅନ୍ୟ ଦୁଇଟି ଦିନିକିଆ ମ୍ୟାଚ୍ ଯଥାକ୍ରମେ ୧୧ ଓ ୧୪ ତାରିଖରେ ଖେଳାଯିବ। ସେହିପରି ଅଗଷ୍ଟ ୨୨ରୁ ପ୍ରଥମ ଟେଷ୍ଟ୍ ଓ ୩୦ରୁ ଦ୍ୱିତୀୟ ଟେଷ୍ଟ୍ ଆରମ୍ଭ ହେବ।