ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ସମେତ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ ଆହ୍ଵାନ

ନୂଆଦିଲ୍ଲୀ: ୨୦୧୯ ବିଶ୍ଵକପ୍‌ ସେମିଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ(ବିସିସିଆଇ)ର ପ୍ରଶାସକ କମିଟି ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନପତ୍ର ଆହ୍ଵାନ କରାଯାଇଛି। ଟିମ୍‌ ଇଣ୍ଡିଆ ପାଇଁ ମୁଖ୍ୟ କୋଚ୍‌, ବୋଲିଂ କୋଚ୍‌, ବ୍ୟାଟିଂ କୋଚ୍‌, ଫିଲ୍ଡିଂ କୋଚ୍‌, ସାଇକୋଥେରାପିଷ୍ଟ, କଣ୍ଡିସନିଂ କୋଚ୍‌ ଏବଂ ପ୍ରଶାସନିକ ପରିଚାଳକ ପଦବୀରେ ନିଯୁକ୍ତି ଲାଗି ପ୍ରଶାସକ କମିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଜୁଲାଇ ୩୦ ସନ୍ଧ୍ୟା ୫ଟା ପୂର୍ବରୁ ସେମାନଙ୍କ ଆବେଦନପତ୍ର ବିସିସିଆଇର ଇ-ମେଲରେ recruitment@bcci.tv. ପଠାଇବା ଦରକାର। ବର୍ତ୍ତମାନ ଟିମ୍‌ ଇଣ୍ଡିଆର ବିଭିନ୍ନ କୋଚ୍‌ ପଦବୀରେ ରହିଥିବା ଅଧିକାରୀମାନେ ସ୍ବୟଂକ୍ରିୟ ଭାବେ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇପାରିବେ। ଅର୍ଥାତ୍‌ ବର୍ତ୍ତମାନର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସମେତ ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର, ବୋଲିଂ କୋଚ୍‌ ଭାରତ ଅରୁଣ ଏବଂ ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧର ଯଦି ଚାହିଁବେ ସ୍ବୟଂକ୍ରିୟ ଭାବେ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇପାରିବେ।