ଭୁବନେଶ୍ୱରରେ ସେପ୍ଟେମ୍ବର ୧୫ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ହୋଇପାରେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଶୀର୍ଷରେ ପହଂଚିଛି। ଏଥି ପାଇଁ ଅଧିକରୁ ଅଧିକ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ବିଏମ୍‌ସି ଅଂଚଳରେ ୮୦ ପ୍ରତିଶତ କରୋନା ଆକ୍ରାନ୍ତ ଲକ୍ଷଣବିହନୀ ବୋଲି ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି ଯେ, ଏପର୍ଯ୍ୟନ୍ତ ବିଏମ୍‌ସି ଅଧିନରେ ୬୭୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଏବେ ୨୭୧୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି, ଯେଉଁଥିରେ କି ହୋମ ଆଇସୋଲେସନରେ ୬୭୫ ଜଣ ଅଛନ୍ତି। ଭୁବନେଶ୍ୱରରେ ମୋଟ ୩୩ ଜଣ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁର ସମ୍ମୁଖୀନ ହୋଇଛନ୍ତି।

ଶ୍ରୀ ଚୌଧୁରୀ କହିଛନ୍ତି, ଆଗାମୀ ମାସକ ମଧ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିପାରେ। ଏବେ ୨୬୧୮ ଜଣ ଆକ୍ରାନ୍ତ ଥିବା ବେଳେ ଅଗଷ୍ଟ ୩୧ ତାରିଖ ବେଳକୁ ଆମ ପାଖରେ ପ୍ରାୟ ୪୦୦୦ ଆକ୍ରାନ୍ତ ଥିବେ। ସେପ୍ଟେମ୍ବର ୧୫ ତାରିଖ ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦୦ ପହଂଚି ଯାଇପାରେ। ଏଥି ପାଇଁ ପ୍ରଶାସନ ପକ୍ଷରୁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କରୋନା ମୁକାବିଲା ଲାଗି ବିଭିନ୍ନ ଘରୋଇ ସଂସ୍ଥା ୪୫୦ ବେଡ ସୃଷ୍ଟି କରିଛନ୍ତି। ଏହା ତାଙ୍କର ସୁବିଧାରେ କାମ ଆସୁଛି। କାରଣ ସେମାନଙ୍କୁ ହସ୍‌ପିଟାଲକୁ ନ ପଠାଇ ନିକଟରେ ରଖାଯାଇପାରିବ।

ବିଗତ ୧୫ ଦିନ ମଧ୍ୟରେ ଦିନକୁ ୨୫୦୦ରୁ ୩୦୦୦ ଟେଷ୍ଟିଂ କରାଯାଉଛି। ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୮ରୁ ୯ଟି କ୍ୟାମ୍ପ ପ୍ରତିଦିନ କରାଯାଉଛି। ସେହିପରି ୨୧ ପିଏଚସି, ସିଏଚସିରେ ଟେଷ୍ଟ କରାଯାଉଛି। କ୍ୟାପିଟାଲ ହସ୍‌ପିଟାଲ, ଏମ୍‌ସ, ଆମ୍ରି, ସମ, ଆପଲୋରେ କରୋନା ନମୁନା ପରୀକ୍ଷା ହେଉଛି। ଭୁବନେଶ୍ୱରବାସୀ କରୋନା ଲକ୍ଷଣ ଥିଲେ ସେମାନେ ପରୀକ୍ଷା କରାନ୍ତୁ। ଟେଷ୍ଟିଂ ବଢ଼ିଥିବାରୁ କରୋନା ପଜିଟିଭ ଅଧିକ ଚିହ୍ନଟ ହେଉଛନ୍ତି। ପିକ ସମୟରେ ଆମେ ସବୁ ଜିନିଷକୁ ପରିଚାଳନା କରିବା, ପରିସ୍ଥିତି ଧୀରେ ଧୀରେ ସୁଧୁରିଯିବ।

ବିଏମ୍‌ସି କମିସନର କହିଛନ୍ତି ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କଲେ କରୋନାରୁ ଏକ ପ୍ରକାର ମୁକ୍ତି ମିଳିପାରିବ। ଆମେ ଗୋଟିଏ ମାସ ସୁରକ୍ଷାକୁ ଗୁରୁତ୍ୱ ଦେବା। ପ୍ରଶାସନକୁ ସମସ୍ତେ ସହଯୋଗ କରିବା।