ଦାରୁ ଚୟନରୁ ବ୍ରହ୍ମ ବିଭ୍ରାଟ ଭିତିରି କଥା,ସେବାୟତ- ମହାରଣା ମୁହଁରୁ ବାହାରିଲା ସତ

ପୁରୀ : ସବୁଠି ଟଙ୍କାପଇସା କାରବାର । ପଇସା ପାଇଲେ ଚିହ୍ନଟ କରାଯାଉଛି ଦାରୁ । ପାଉଣା ପାଇବା ପାଇଁ ମନଇଚ୍ଛା ନବକଳେବେର ବେଳେ ଦାରୁ ଚିହ୍ନଟ କରାଯାଉଛି । ଦାରୁବୃକ୍ଷରେ ଶଙ୍ଖ, ଚକ୍ର ଥିବା କୁହାଯାଇ ଭକ୍ତମାନଙ୍କୁ ଭଣ୍ଡାଯାଉଛି । ଏହି ବିସ୍ଫୋରକ ବୟାନ ଦେଇଛନ୍ତି ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା । ସେ ଅଭିଯୋଗ କରିଛନ୍ତି ଯେ ଗତ ନବକଳେବର ସମୟରେ ଅର୍ଥ ଉପାର୍ଜନ ପାଇଁ ଦାରୁ ଚିହ୍ନଟ କରାଯାଇଛି । ପୁରୀ ଜିଲ୍ଲାର ଆଖପାଖ ଅଞ୍ଚଳରେ ସାଧାରଣତଃ ଦାରୁ ଚିହ୍ନଟ କରାଯାଉଥିବା ବେଳେ ଜଗତ୍ସିଂହପୁର ଜିଲ୍ଲାରେ ଦାରୁ ଚିହ୍ନଟ ହେବାର ଯଥାର୍ଥତା ନେଇ ସେ ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ, ଦାରୁରୁ ମୂର୍ତ୍ତି ନିର୍ମାଣରେ ବିଭ୍ରାଟ ନେଇ ସେ ଦଇତାପତିମାନଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ କରିଛନ୍ତି ।

ଶ୍ରୀ ମହାରଣା କହିଛନ୍ତି ଯେ ଗତ ନବକଳେବର ବେଳେ ପୋଲା ଦାରୁ ଅଣାଯାଇଥିଲା । ସେ ବିଷୟରେ ଦଇତାପତି ନିଯୋଗ କୌଣସି ପ୍ରତିକାର ବ୍ୟବସ୍ଥା କରି ନ ଥିଲା । ବିଗ୍ରହ ନିର୍ମାଣରେ ଦଇତାପତିମାନେ ଉପଯୁକ୍ତ ସହଯୋଗ କରି ନ ଥିଲେ । ନବକଳେବର ବେଳେ ଦଇତାପତିମାନଙ୍କ ଭୂମିକାକୁ ନେଇ ଶ୍ରୀ ମହାରଣା ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଶ୍ରୀ ମହାରଣାଙ୍କ ଏହି ବୟାନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଉଭୟ ଭକ୍ତ ଓ ସେବାୟତ ମହଲରେ ଗଭୀର ଆଲୋଡ଼ନ ଓ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ନବକଳେବର ବିଭ୍ରାଟ ନେଇ ପୁରୁଖା ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ଗୁମର ଖୋଲିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଗତକାଲି ୨୦୧୫ ମସିହାର ବ୍ରହ୍ମ ବିଭ୍ରାଟକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୦ଜଣ ଦଇତାପତି ଏବଂ ଜଣେ ବିଶ୍ୱକର୍ମାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ପରେ ବୁଧବାର ପୁରୁଖା ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ବିସ୍ଫୋରକ ବୟାନ ଦେଇଛନ୍ତି ।

ତେବେ ତାଙ୍କର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଦଇତାପତି ନିଯୋଗର ସହସମ୍ପାଦକ ତଥା ନବକଳେବର ସମୟରେ ବିଶ୍ୱାବସୁ ଭୂମିକା ନିର୍ବାହ କରିଥିବା ବିନାୟକ ଦାସମହାପାତ୍ର । ମଝିବାଡ଼ର ମୁଖ୍ୟ ବିଶ୍ୱକର୍ମାଙ୍କ ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି ଯେ ଦାରୁ ସଂଗ୍ରହ ଯଥାରୀତି ସମ୍ପନ୍ନ ହୋଇଥିଲା । ବିଗ୍ରହ ନିର୍ମାଣ ବେଳେ ଦଇତାପତିମାନେ ବିଶ୍ୱକର୍ମାମାନଙ୍କୁ ଯଥାଯଥ ସହଯୋଗ କରିଥିଲେ । ଦଇତାପତିଙ୍କ ନିକଟରେ ଥିବା ମାପ ଅନୁଯାୟୀ ବିଗ୍ରହ ନିର୍ମାଣ ହୋଇଥିଲା ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି । ଶ୍ରୀ ଦାସମହାପାତ୍ର ଏକ ଭିଡିଓ ଫୁଟେଜ ମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ରହ୍ମ ରିପୋର୍ଟ ପ୍ରକାଶ ପାଇବା ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଏହାକୁ ସାର୍ବଜନୀନ କରାଯିବା ପାଇଁ ସବୁ ମହଲରୁ ଦାବି ହୋଇ ଆସୁଥିଲା । ବ୍ରହ୍ମ ସଂସ୍ଥାପନ ବିଳମ୍ବର କାରଣ ସମ୍ପର୍କରେ ଭକ୍ତ ଓ ଜଗନ୍ନାଥପ୍ରେମୀମାନେ ଜାଣିବା ପାଇଁ ବ୍ୟଗ୍ର ଅଛନ୍ତି ।

୨୦୧୫ ମସିହା ଜୁନମାସ ୧୫ତାରିଖ ଦିନ ବ୍ରହ୍ମ ପରିବର୍ତ୍ତନ ହେବାର କାର୍ଯ୍ୟକ୍ରମ ଥିଲା । ସେଦିନ ଏହି ବିଭ୍ରାଟ ହୋଇଥିଲା । ମହାପ୍ରଭୁଙ୍କ ମୂର୍ତ୍ତି ନିର୍ମାଣ ପାଇଁ ୧୦ଦିନ ସମୟରୁ ଦିନଟିଏ କ୍ଷୟ ପଡ଼ିବାରୁ ୯ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ମହାରଣାମାନେ ସମୟ ଅଭାବରୁ ମୂର୍ତ୍ତି ନିର୍ମାଣରେ ବିଳମ୍ବ କରିଥିଲେ । ଗଜପତି ମହାରାଜା ଉକ୍ତ ଦିନ ଅପରାହ୍ଣ ୫ଟାରେ ଯଜ୍ଞାନୁଷ୍ଠାନରେ ପୂର୍ଣ୍ଣାହୁତି ଦେବା ପାଇଁ ନିର୍ଦ୍ଧାରିତ ହୋଇଥିବା ସ୍ଥଳେ ଯଜ୍ଞ କାର୍ଯ୍ୟ ବିଳମ୍ବ ହେବାରୁ ପରଦିନ ଭୋରୁ ଗଜପତି ମନ୍ଦିରକୁ ଯାଇ ପୂର୍ଣ୍ଣାହୁତି ଦେଇଥିଲେ । ତେଣୁ ୮ଘ. ବିଳମ୍ବ ଘଟିଥିଲା । ଏହି ବିଳମ୍ବ ସମୟକୁ ନେଇ ସମସ୍ତ ବିଭ୍ରାଟ ଘଟିଥିଲା । ମହାପ୍ରଭୁଙ୍କ ବ୍ରହ୍ମ ପରିବର୍ତ୍ତନ ଯେତେବେଳେ ଶେଷ ହେଲା ପାଖକୁ ଯାଇ ବ୍ରହ୍ମଭେଟି ଦେବା ପାଇଁ ଦଇତାପତିମାନଙ୍କ ମଧ୍ୟରେ ଥିବା ଉକ୍ରଣ୍ଠାକୁ ନେଇ ବାଦାନୁବାଦ ହୋଇଥିଲା । ବୟଜ୍ୟେଷ୍ଠ ଭାଗାରୀମାନେ ଦର୍ଶନ କରିବାକୁ ନେଇ ବାଦାନୁବାଦ ହୋଇଥାଏ । ସେଥିପାଇଁ ଆମ୍ଭମାନଙ୍କ ମଧ୍ୟରେ ଅସନ୍ତୋଷ ହୋଇଥିଲା । ଯାହାର ପରିପ୍ରକାଶ ମନ୍ଦିର ବାହାରେ ହୋଇଥିଲା । ତକ୍ରାଳୀନ ମୁଖ୍ୟପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମ୍ମୁଖରେ ଆମେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲୁ । ମହାପ୍ରଭୁଙ୍କ ବ୍ରହ୍ମ ସଂସ୍ଥାପନ କାର୍ଯ୍ୟ ଭକ୍ତି ଓ ନିଷ୍ଠାର ସହ ଦଇତାପତିମାନେ କରିଥିଲେ । ଆମଭିତରେ ଅସନ୍ତୋଷ ମନୋଭାବ ସୃଷ୍ଟି ହୋଇଥିବାରୁ ଆମେ ସମସ୍ତେ ଦୁଖିତ । ଯେଉଁଥିପାଇଁ ସାରା ଭାରତବର୍ଷରେ ଆମକୁ ନିନ୍ଦିତ ହେବାକୁ ପଡ଼ିଲା । ତେଣୁ ମହାପ୍ରଭୁଙ୍କ ନିକଟରେ ଆମେ ପ୍ରାର୍ଥନା କରୁଛୁ ସେ ଆମକୁ ନିଶ୍ଚିତ ଭାବେ କ୍ଷମା କରିବେ । ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ଆମେ ଦୃଷ୍ଟି ଦେବୁ । ସମସ୍ତ ଭକ୍ତ ଓ ଜନସାଧାରଣଙ୍କୁ ଆମେ କ୍ଷମା ପ୍ରାର୍ଥନା କରୁଛୁ ।

ଶ୍ରୀମନ୍ଦିରରେ  ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମାଙ୍କ ବିସ୍ଫୋରକ ବୟାନ ସାଧାରଣରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି । ଶ୍ରୀ ମହାରଣାଙ୍କ ଏହି ଗୁରୁତର ଅଭିଯୋଗ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଅଣାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।