ବାରିପଦା ପ୍ରିନ୍ସ +୨ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ ଏଠାରେ ପାଠ ବିକ୍ରି ହୁଏ ନାହିଁ ବରଂ ବିଦ୍ୟାଦାନ ହୁଏ

ବାରିପଦା : ବର୍ତ୍ତମାନ ପ୍ରାୟ ସବୁ ଅଞ୍ଚଳରେ ମାଳମାଳ ବେସରକାରୀ କୋଚିଂ ସେଣ୍ଟର ରୁ ଆରମ୍ଭ କରି ନାହିଁ ନଥିବା ଆବାସିକ ବଦ୍ୟାଳୟ ମାନ ଖୋଲି ପାଠ ନାଁ ରେ ଚାଲିଛି ବେପାର । ଯାହାଫଳରେ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ଅର୍ଥାଭାବ ଯୋଗୁଁ ଅଧାରେ ନିଜର ପାଠରେ ଡୋରୀ ବାନ୍ଧିବାକୁ ଏକପ୍ରକାର ବାଧ୍ୟ ହେଉଥିବାର ଅନେକ ନଜିର ରହିଛି । ହେଲେ ଆଜିର ଦିନରେ ବି ଏମିତି ଅନୁଷ୍ଠାନ ବଞ୍ଚି ରହିଛି, ଯେଉଁଠାରେ ପାଠ ବିକ୍ରି ହୁଏ ନାହିଁ, ବରଂ ବିଦ୍ୟାଦାନ କରି ମେଧାବୀ ମାନଙ୍କୁ ଆଗକୁ ବଢିବାର ରାହା ଦେଖା ଯାଇଥାଏ ।
ସେମିତି ଏକ ଅନୁଷ୍ଠାନ ହେଉଛି ବାରିପଦାର ପ୍ରିନ୍ସ +୨ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ । ଏଠାରେ ଜଣେ ଦିନ ମଜୁରୀଆଙ୍କର ମେଧାବୀ ସନ୍ତାନଙ୍କୁ ୨ ବର୍ଷ ଧରି ସମ୍ପୂର୍ଣ୍ଣ ମାଗଣାରେ ରହିବା ଖାଇବା ଯୋଗାଇଦେବା ସହିତ ପାଠ ପଢାଇ ଉଦାହରଣ ସୃଷ୍ଟି କରିଛନ୍ତି ଅନୁଷ୍ଠାନର କର୍ତ୍ତୃପକ୍ଷ । ଆଉ ଗୁରୁଦକ୍ଷୀଣା ଭାବରେ ଚଳିତ ୨୦୧୯-୨୦ ଶିକ୍ଷାବର୍ଷର +୨ ବିଜ୍ଞାନ ପରୀକ୍ଷାରେ ୮୯% ତଥା ୫୩୦ ନମ୍ବର ରଖି ଏହି ଅନୁଷ୍ଠାନରେ ଶୀର୍ଷ ସ୍ଥାନ ଅଧିକାର କରି ଅନୁଷ୍ଠାନକୁ ଗୌରବାନ୍ୱିତ କରାଇଛନ୍ତି ଛାତ୍ରୀ ଜଣକ ।

baripada prince collage result
ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ ଅନ୍ତର୍ଗତ କୋଷ୍ଠା ଗାଁ ର ଝିଅ ସୁଚିସ୍ମିତା ସାଥୁଆ । ବାପା ବିଶିକେଶନ ସାଥୁଆ ଜଣେ ଦିନ ମଜୁରୀଆ । କାମ କରି ଯାହା ଦୁଇ ପଇସା ରୋଜଗାର ହୁଏ, ସେତିକିରେ ପରିବାର ର ଗୁଜୁରାଣ ମେଣ୍ଟିଥାଏ । ଏ ପରିବାର ର ଝିଅ ସୁଚିସ୍ମିତା ୨୦୧୮ ମସିହା ମାଟ୍ରିକ୍ ପରୀକ୍ଷାରେ ୯୨% ନଂ ରଖି ପାଶ କରିବା ପରେ ଆର୍ôଥକ ଅଭାବ ଯୋଗୁଁ କଲେଜ ପଢିବା ଏକ ସ୍ୱପ୍ନ ପାଲଟି ଯାଇଥିଲା । ହେଲେ ବି ପାଠରୁ ଓହରି ନ ଯାଇ ଆଖିରେ ଆଖିଏ ସ୍ୱପ୍ନ ସହିତ ଏହି ଅନୁଷ୍ଠାନରେ ପହଞ୍ଚିଥିଲେ ସୁଚିସ୍ମିତା । ଝିଅଟିର କୃତୀତ୍ୱ, ତା’ର ପାଠ ପଢିବାର ପ୍ରବଳ ଆଗ୍ରହ ସହିତ ବାପାଙ୍କ ଆର୍ôଥକ ଅବସ୍ଥାକୁ ଦେଖି ଅନୁଷ୍ଠାନର ନିର୍ଦ୍ଦେଶକ ସମ୍ପୂର୍ଣ୍ଣ ମାଗଣାରେ ତା’ର +୨ ର ଶିକ୍ଷା ବ୍ୟବସ୍ଥା କରିଥିଲେ । ଆଉ ତାକୁ ସେଠାରେ ରହି ପାଠ ପଢିବା ପାଇଁ ଅନୁମତି ବି ଦେବା ସହିତ ତାକୁ ପାଠ ପଢିବାରେ ସମ୍ପୂର୍ଣ୍ଣ ସହାୟତା କରିଥିଲେ ।
ଯାହାର ପ୍ରତିଦାନ ସ୍ୱରୂପ ସୁଚିସ୍ମିତା ଆଜି ସମସ୍ତଙ୍କ ମନରେ ଖେଳାଇ ଦେଇଛି ଖୁସିର ଲହରୀ । ପ୍ରକାଶ ପାଇଥିବା ୮୯% ନଂ ରଖି ଅନୁଷ୍ଠାନକୁ ସୁନାମ ଆଣି ଦେଇଛନ୍ତି । ଝିଅର କୃତୀତ୍ୱରେ ସମସ୍ତେ ଖୁସି ଥିବା ବେଳେ ଅନୁଷ୍ଠାନ ତରଫରୁ ମିଳିଥିବା ସାହାଯ୍ୟ ସହଯୋଗ ସହିତ ପ୍ରିନ୍ସ କଲେଜ ର ମାନବିକ ମୂଲ୍ୟବୋଧତା କୁ ଧନ୍ୟବାଦ ଦେଇଛନ୍ତି ସୁଚିସ୍ମିତାଙ୍କ ବାପା ବିଶିକେଶନ । କେବଳ ଏତିକିରେ ଅଟକି ଯିବନି ସୁଚିସ୍ମିତା ପ୍ରତି ପ୍ରିନ୍ସ କଲେଜ ର ସାହାଯ୍ୟ ସହଯୋଗ । ଆଗକୁ ଡାକ୍ତରୀ ପଢିବାକୁ ଲକ୍ଷ ରଖିଥିବା ସୁଚିସ୍ମିତାଙ୍କ ସମସ୍ତ ଖର୍ଚ୍ଚ ଅନୁଷ୍ଠାନ ବହନ କରିବ ବୋଲି କହିଛନ୍ତି ଏହାର ନିର୍ଦ୍ଦେଶକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ।
ବାରିପଦା ସ୍ଥିତ ପ୍ରିନ୍ସ +୨ କଲେଜ ର ଏଭଳି କାର୍ଯ୍ୟକ୍ରମ କିଛି ନୁଆ ନୁହେଁ, ଏହା ପୂର୍ବରୁ ୨୦୧୫ ମସିହାରେ ମଧ୍ୟ ତପନ କୁମାର ଜେନା ନାମକ ଆଉ ଜଣେ ଦିନମଜୁରୀଆ ଙ୍କ ପୁଅକୁ ମଧ୍ୟ ଏହିଭଳି ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ । ବିଏସ୍‌ସି ପାଶ କରିବା ପରେ ବର୍ତ୍ତମାନ ନୂଆଦିଲ୍ଲୀ ରେ ଭାରତୀୟ ପ୍ରଶାସନିକ ସେବା ର ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ସେହି ଛାତ୍ର ତପନ ଜେନାଙ୍କର ମଧ୍ୟ ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି ପ୍ରିନ୍ସ କଲେଜ ।