ଭାରି ପଡିଲା ବିବାହ ପରେ ପ୍ରେମ, ସେଇ ପ୍ରେମ ପୁଣି ନେଲା ଜୀବନ

ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ

ବାରିପଦା: ବରଗଡ ର ଅତାବିରା ର ଝିଅ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ରେ ହେଲା ବୋହୁ । ପରେ ବାରିପଦାରେ ଜଣେ ଯୁବକଙ୍କ ସହ ଭେଟ ହେବା ପରେ ଆରମ୍ଭ ହେଲା ପ୍ରେମ । ପ୍ରେମ ପୁଣି ଏମିତି ହେଲା ଯେ, ସ୍ୱାମୀ ପରିବାର ଭୁଲି ପ୍ରେମିକଙ୍କ ସାଙ୍ଗରେ ଜୀବନ ବିତାଇବାକୁ ଘର ଛାଡିଲା । ଦିନ କେଇଟା ନ ଯାଉଣୁ ଝିଅଟିର ସନ୍ଦେହ ଜନକ ମୃତ୍ୟୁ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି ।

ଗତକାଲି ମଙ୍ଗଳବାର ସନ୍ଧ୍ୟାରେ ବାରିପଦା ଟାଉନ୍‌ଥାନା ଅନ୍ତର୍ଗତ ୨୩ ନଂ ୱାର୍ଡ ତୁଳସୀଚଉରା ଠାରେ ଥିବା ଏକ ଟ୍ରାକ୍ଟର ସୋ-ରୁମ ମାଲିକଙ୍କଘରେ ଭଡା ଥିବା ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଜାଣି ଘରମାଲିକ ତୁରନ୍ତ ପୋଲିସ କୁ ଖବର ଦେଇଥିଲେ ।

baripada-news

ଖବର ପାଇ ଘଟଣା ସ୍ଥଳରେ ଟାଉନ୍‌ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କଲା । ତଦନ୍ତରୁ ଯୁବତୀ ଜଣକ ବରଗଡ ଜିଲ୍ଲା ଅତାବିରା ଗ୍ରାମର ଅର୍ଚ୍ଚନା ଦାସ (୨୪) ବୋଲି ଜଣା ପଡିଥିଲା । ତେବେ ସେ ପୂର୍ବରୁ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ବିବାହ କରିଥିବା ଜଣା ପଡିଛି । ତା ସତ୍ତ୍ୱେ ବାରିପଦାର ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ସେ ତାଙ୍କ ଶ୍ୱଶୁର ଘରୁ ଚାଲିଆସି ଉକ୍ତ ଯୁବକଙ୍କ ସହିତ ସେହି ଘରେ ରହୁଥିଲେ । ଏବଂ ସ୍ଥାନୀୟ ଏକ ଶାଢୀ ସୋ-ରୁମ୍ ରେ ସେଲ୍ସଗାର୍ଲ ଭାବେ କାମ କରୁଥିଲେ । ମହିଳାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆ ଯିବା ସତ୍ତ୍ୱେ କେହି ନ ଆସିବାରୁ ମୃତଦେହ ଉଦ୍ଧାର ପାଇଁ ପୋଲିସକୁ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡିଲା । ଶେଷରେ ଆଜି ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ଘର ର କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ସୂଚନା ଦେଇଛନ୍ତି ମୟୂରଭଞ୍ଜ ଅତିରିକ୍ତ ଏସ୍‌.ପି. ସୁଦାମ ଚନ୍ଦ୍ର ସାହୁ ।

ପ୍ରାରମ୍ଭିକ ତଦନ୍ତରେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇ ପାରି ନାହିଁ । ହେଲେ ମହିଳାଙ୍କର ସୁଇସାଇଡ୍ ନୋଟ୍‌, ମୋବାଇଲ ଓ ଏକ ଡାଏରୀ ପୋଲିସ ହାତରେ ପଡିଥିବାରୁ ଖୁବ ଶିଘ୍ର ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବାରିପଦା ଟାଉନ୍ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।