ଜେଲରେ ବିଚାରାଧିନ କଏଦୀର ମୃତ୍ୟୁ

ବାରିପଦା : ଆଜି ବାରିପଦା ସ୍ଥିତ ପିଆରଏମ୍ ମେଡିକାଲରେ ବାରିପଦା ମଣ୍ଡଳ କାରାଗାର ର ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ସୁରଜ ନାଥ (୪୫) ସମ୍ବଲପୁର ଜିଲ୍ଲାର ସିକମପୁର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡା ଠାରେ ପ୍ରେମ ବିବାହ କରି ରହି ଆସୁଥିଲେ।

ତେବେ ଗତ ଶୁକ୍ରବାର ଦିନ ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀ କୁମୁଦିନୀ ମହାକୁଡଙ୍କୁ ପିଟାମରା କରିଥିଲେ। ଯାହାକୁ ନେଇ କୁମୁଦିନୀ ମୋରଡା ଥାନା ରେ ଅଭିଯୋଗ କରିବା ପରେ ପୋଲିସ ସୁରଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ଅବେଦନ ଖାରଜ ହେବାରୁ ତାଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆ ଯାଇଥିଲା। ସେଠାରେ ହଠାତ ତାଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଆଜି ଦିନ ପ୍ରାୟ ୧୨ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।