ଡିସେମ୍ବର ୩୧ରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ:ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ତାରିଖ ଘୋଷଣା କରାଯାଇଛି । ବିଶ୍ୱର ସବୁଠାରୁ ବଡ ମୁକ୍ତ ରଙ୍ଗମଂଚ ଭାବେ ପରିଚିତ ଏହି ଯାତ୍ରୀ ଡିସେମ୍ବର ୩୧ରୁ ଜାନୁଆରୀ ୧୦ ଯାଏଁ ଅନୁଷ୍ଠିତ ହେବ । 

ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ ଏହି ଯାତ୍ରା ପୃଥିବୀର ବିଶାଳତମ ଖୋଲା ରଙ୍ଗମଞ୍ଚ ଭାବେ ଜଣାଶୁଣା । ଏଥିରେ ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ । ଏହା ମାତୁଳ କଂସର ଧନୁଯାତ୍ରାରେ ଭାଗନେବା ପାଇଁ ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରେ ।ଯାତ୍ରା ସମୟରେ ବରଗଡ଼ ସହର କଂସଙ୍କ ମଥୁରା ପାଲଟୁଥିବାବେଳେ ପୌରାଞ୍ଚଳର ଅମ୍ବାପାଲି ପାଲଟି ଥାଏ ଗୋପପୁର । ସେହିପରି ବରଗଡ଼ ସହରବାସୀ ଓ ଦର୍ଶକ ପ୍ରଜା ପାଲଟିଥାନ୍ତି । ମହାରାଜା କଂସଙ୍କ ଆଦେଶ ଅବମାନନା କଲେ ଯେତେ ବଡ଼ ପଦପଦବୀରେ ଥିଲେ ସୁଦ୍ଧା ଦଣ୍ଡଭୋଗିବାକୁ ହୋଇଥାଏ । 

ଆଜି ବରଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଧନୁଯାତ୍ରା ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦିନ ଧାର୍ଯ୍ୟ କରାଯାଇଛି । ଏହି ଯାତ୍ରୀ ଡିସେମ୍ବର ୩୧ରୁ ଆରମ୍ଭ ହୋଇ ଜାନୁଆରୀ ୧୦ ଯାଏଁ ୧୧ଦିନ ଧରି ଚାଲିବ ।