ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ: ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏଥିରେ କୃଷ୍ଣଙ୍କ ବାଲ୍ୟଲୀଳା ପୌରାଣିକ କଥାବସ୍ତୁକୁ ନେଇ ୧୧ଦିନ ଧରି ମୁକ୍ତାକାଶ ରଙ୍ଗମଂଚରେ ଅଭିନୀତ ହେବ ।ବରଗଡ଼ ପାଲଟିବ ମଥୁରା ନଗରୀ । ଅମ୍ବାପାଲି ହେବ ଗୋପପୁର । ଶୁଭିବ ମହାରାଜା କଂସଙ୍କ ଗର୍ଜନ ।

ବରଗଡ ଜିଲ୍ଲା ହାଟପଦାଠାରେ ରାଜଦରବାର ଓ ନିଶାମଣୀ ସ୍କୁଲ ପଡିଆରେ ଅନୁଷ୍ଠିତ ହେବ ରଙ୍ଗମହଲ । ଧନୁଯାତ୍ରା ଲାଗି ଧନୁଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଆଜିଠାରୁ ଆରମ୍ଭ ହୋଇ ଜାନୁୟାରୀ ୧୦ ପର୍ଯ୍ୟନ୍ତ ଚାଲିବ ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ମହାରାଜା ଉଗ୍ରସେନଙ୍କ ରାଜ ସିଂହାସନ ଆରୋହଣ, ଉଗ୍ରସେନଙ୍କ ଗାଦିଚ୍ୟୁତ, ଯୁବରାଜରୁ ମଥୁରାପତି କଂସ, ଦେବକୀ ବାସୁଦେବଙ୍କ ରାଜକୀୟ ଉତ୍ସବ, ଦେବକୀ ବାସୁଦେବଙ୍କୁ କାରାଗାରରେ ବନ୍ଦୀ, ଦେବକୀଙ୍କ ଅଷ୍ଟମଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ, ନନ୍ଦଉତ୍ସବ ଆଦି ଦୃଶ୍ୟ ଏହି ଧନୁଯାତ୍ରାରେ ଅଭିନୀତ ହେବ। ରାଜଦରବାରରେ ଓ ରଙ୍ଗମହଲରେ ରାଜ୍ୟ ତଥା ରାଜ୍ୟ ବାହାରର ସାଂସ୍କୃତିକ ଦଳମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ଚାଲିବ ।