ଧନୁଯାତ୍ରା ପାଇଁ ସମନ୍ୱୟ କମିଟି ବୈଠକ ଶେଷ, ୨୫ ସୁଧା କଳାକାର ଚୟନ

ବରଗଡ:ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରୀ ମହୋତ୍ସବ ପାଇଁ ଆଜି ବସିଥିବା କଳାକାର ସମିତିର ବୈଠକ ଶେଷ ହୋଇଛି । ଏଥିରେ କଳାକାର ଚୟନ ବାବଦରେ ନିଷ୍ପତି ହୋଇଛି । 

ବୈଠକ ଶେଷ ହେବା ପରେ କମିଟି ଆବାହକ ମିର୍ଦ୍ଧା ଟପ୍ପୋ କହିଛନ୍ତି ଯେ, ପ୍ରଥମେ କଂସ, ମନ୍ତ୍ରୀ ଓ ପାଶ୍ୱର୍ କଳାକାର ଚୟନ କରାଯିବ । ୧୬ ତାରିଖ ସୁଧା ଏଥି ନିମନ୍ତେ ଆବେଦନ ପତ୍ର ଗ୍ରହଣ କରାଯିବ ।  ୨୦ରୁ ୨୫ ତାରିଖ ମଧ୍ୟରେ କଳାକାର ଚୟନ କରାଯିବ । 

ଗତ ସପ୍ତାହରେ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ତାରିଖ ଘୋଷଣା କରାଯାଇଥିଲା । ବିଶ୍ୱର ସବୁଠାରୁ ବଡ ମୁକ୍ତ ରଙ୍ଗମଂଚ ଭାବେ ପରିଚିତ ଏହି ଯାତ୍ରୀ ଡିସେମ୍ବର ୩୧ରୁ ଜାନୁଆରୀ ୧୦ ଯାଏଁ ଅନୁଷ୍ଠିତ ହେବ । 

ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ ଏହି ଯାତ୍ରା ପୃଥିବୀର ବିଶାଳତମ ଖୋଲା ରଙ୍ଗମଞ୍ଚ ଭାବେ ଜଣାଶୁଣା । ଏଥିରେ ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ । ଏହା ମାତୁଳ କଂସର ଧନୁଯାତ୍ରାରେ ଭାଗନେବା ପାଇଁ ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରେ ।ଯାତ୍ରା ସମୟରେ ବରଗଡ଼ ସହର କଂସଙ୍କ ମଥୁରା ପାଲଟୁଥିବାବେଳେ ପୌରାଞ୍ଚଳର ଅମ୍ବାପାଲି ପାଲଟି ଥାଏ ଗୋପପୁର । ସେହିପରି ବରଗଡ଼ ସହରବାସୀ ଓ ଦର୍ଶକ ପ୍ରଜା ପାଲଟିଥାନ୍ତି । ମହାରାଜା କଂସଙ୍କ ଆଦେଶ ଅବମାନନା କଲେ ଯେତେ ବଡ଼ ପଦପଦବୀରେ ଥିଲେ ସୁଦ୍ଧା ଦଣ୍ଡଭୋଗିବାକୁ ହୋଇଥାଏ ।