ବାର କାଉନ୍ସିଲ ଅଫ୍ ଇଣ୍ଡିଆର ଡାକରା :୧୧ଓ ୧୨ରେ କୋଟ ବନ୍ଦ

ଭୁବନେଶ୍ୱର : ଭାରତୀୟ ଆଇନଜୀବୀ ପରିଷଦ ଆସନ୍ତା ୧୧ ଓ ୧୨ ଦୁଇଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସେମାନେ ବିଭିନ୍ନ ଅସୁବିଧାର ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଏକ ଦାବୀ ଉପସ୍ଥାପନ କରିଛନ୍ତି । ଏନେଇ ଗତ ୨ ତାରିଖରେ ନୂଆଦିଲ୍ଲୀସ୍ଥିତ ବାର୍ କାଉନ୍ସିଲ ଅଡିଟୋରିୟମରେ ଏକ ବୈଠକ ବସିଥିଲା । ବୈଠକର ନିଷ୍ପତ୍ତିକ୍ରମେ ଜାତୀୟ ଆଇନଜୀବୀ ପରିଷଦର ସମସ୍ତ ଓକିଲ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବେ । ଏହି ଅବସରରେ ଦୁଇଦିନ ଭାରତବର୍ଷର ସବୁ ଜାଗାରେ କୋର୍ଟକାର୍ଯ୍ୟ ବନ୍ଦ କରିବାକୁ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆ ପକ୍ଷରୁ ଆହ୍ୱାନ କରାଯାଇଛି । ସେମାନଙ୍କ ଦାବି ମଧ୍ୟରେ ପ୍ରତ୍ୟେକ ବାର୍ ଆସୋସିଏସନ ପାଇଁ ଅତ୍ୟାବଶ୍ୟକ ଗୃହ, ସରଞ୍ଜାମ, ଲାଇବ୍ରେରୀ, ଶୌଚାଳୟ ବିଶେଷକରି ମହିଳା ଓକିଲମାନଙ୍କ ପାଇଁ ଶୌଚାଳୟ ପାଇଁ ଦାବି ରହିଛି ।

ସେହିପରି ଓକିଲମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବାର୍ଷିକ ବଜେଟରେ ୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ସେମାନେ ଦାବି କରିଛନ୍ତି । ଏହି ୫ ହଜାର କୋଟି ଟଙ୍କାରେ ଓକିଲ ତଥା ତାଙ୍କ ପରିବାର ଲୋକଙ୍କ ପାଇଁ ବୀମା ବ୍ୟବସ୍ଥା, ନୂତନ ଭାବେ ଓକିଲାତି ଆରମ୍ଭ କରିଥିବା ଆଇନଜୀବୀଙ୍କ ପାଇଁ ସର୍ବନିମ୍ନ ୫ବର୍ଷ ପାଇଁ ମାସିକ ୧୦ ହଜାର ଟଙ୍କା ଓ କୌଣସି ଓକିଲଙ୍କ ଅକାଳ ମୃତ୍ୟୁ କିମ୍ବା ଅକର୍ମଣ୍ୟ ହେଲେ ତାଙ୍କ ଉପରେ ନିର୍ଭର କରୁଥିବା ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଦେବାକୁ ବାର୍ କାଉନ୍ସିଲ ଦାବି କରିଛି । ହରିୟାଣା ସରକାର ଯେପରି ସ୍କିମ ମାଧ୍ୟମରେ ଓକିଲମାନଙ୍କ ଗୃହ ନିର୍ମାଣ ନିମନ୍ତେ ଶସ୍ତାରେ ଜମି ଯୋଗାଇ ଦେଉଛନ୍ତି ଆମ ରାଜ୍ୟରେ ମଧ୍ୟ ସରକାର ସେମିତି ଯୋଜନା କରିବା ଉଚିତ ବୋଲି ଭୁବନେଶ୍ୱର ବାର୍ ଆସୋସିଏସନ ପକ୍ଷରୁ କୁହାଯାଇଛି ।