ବାଙ୍କୀ: ବାଙ୍କୀ ଡବଲ ମର୍ଡର ଘଟଣାରେ ମୃତ୍ୟୁ ପୂର୍ବର ହେଉଛି ଭିଡିଓ ଭାଇରାଲ । ସରପଂଚଙ୍କ ସ୍ୱାମୀ ଭଜବାନ ସ୍ୱାଇଁଙ୍କ ଭିଡିଓ ରେକର୍ଡ କରାଯାଇଛି । ଯେଉଁଥିରେ ହତ୍ୟାକାଣ୍ଡ ସମ୍ପର୍କରେ ମୃତ୍ୟୁପୂର୍ବରୁ ସମସ୍ତ ଘଟଣା କହିଛନ୍ତି ଭଗବାନ । ଏହି ଭିଡିଓ ଜରିଆରେ ହତ୍ୟାକାଣ୍ଡ ସମ୍ପର୍କିତ ଚାଂଚଲ୍ୟର ତଥ୍ୟ ସାମ୍ନାକୁ ଆସିଛି । ଫଳରେ ଜଣାପଡିଛି ଯେ, ହତ୍ୟାକାଣ୍ଡରେ ୧୫ ରୁ ୨୦ ଜଣ ଥିବା ଅନୁମାନ କରାଯାଉଛି ।
କାଳିଆ, ଦୀପୁ, ପାଣ୍ଡବ ଭଳି ଅନେକ ନାଁ ମଧ୍ୟ ରହିଛି ଭିଡିଓରେ। ତାର ଟାଣିଦେଲେ ଓ ଗୋଡ ଦୁଇଟିକୁ ହାଣିଦେଲେ.. ଭଳି ଗୋଟିଏ ମିନିଟର ଭିଡିଓରେ ଥିବା ଅନେକ ଲୋମଟାଙ୍କୁରା ତଥ୍ୟ ଆଜି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାଜନୀତି ଓ ଠିକାକାମକୁ ନେଇ ଶନିବାର ସ୍ପଷ୍ଟ ଦିବାଲୋକରେ ଘଟିଥିବା ବାଙ୍କୀର ଲୋକଟାଙ୍ଗୁରା ଡବଲ୍ ମର୍ଡର ଘଟଣାକୁ ନେଇ ସ୍ତବ୍ଧ ହୋଇଛି ନୂଆଗାଁ। ରବିବାର ଅପରାହ୍ନରେ ଗାଁରେ ସରପଂଚଙ୍କ ସ୍ବାମୀ ଭଗବାନ ସ୍ବାଇଁ(୫୦) ଓ ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହ(୩୫)ଙ୍କ ମୃତଦେହ ପହଂଚିବା ପରେ ଲୁହରେ ଭିଜିଛି ନୂଆଗାଁ। ସାରା ଗାଁ ଏବେ ପୋଲିସ ପହରାରେ ରହିଛି। ହେଲେ, ଘଟଣାର ୨୪ଘଂଟା ପରେ ବି ପୋଲିସ ହାତ ଖାଲି। ଏହାକୁ ନେଇ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ସେପଟେ, ଗିରଫଦାରୀ ଭୟରେ ହତ୍ୟାକାଣ୍ଡ ପରଠାରୁ ବିପକ୍ଷ ଗୋଷ୍ଠୀ ଶିବିର ପୁରୁଷଶୂନ୍ୟ ହୋଇଯାଇଛି।
ବୀଭତ୍ସ ହତ୍ୟାକାଣ୍ଡ ପରେ ରବିବାର ସକାଳେ ବାଙ୍କୀରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ କେନ୍ଦ୍ରାଂଚଳ ଡିଆଇଜି ଆଶିଷ କୁମାର ସିଂହ ପହଂଚି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପୋଲିସ ପକ୍ଷରୁ ହତ୍ୟାକାରୀଙ୍କୁ ଧରିବା ପାଇଁ ୪ଟି ଟିମ୍ ଗଠନ କରାଯାଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଓ ଏଥିରେ ୧୫ରୁ ଅଧିକ ଲୋକଙ୍କ ସଂପୃକ୍ତି ରହିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଗାଁରେ ଉତେଜନାମୂଳକ ପରିସ୍ଥିତି ଥିବାରୁ ସେଠାରେ ୪ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସ୍ବାମୀଙ୍କୁ ହରାଇ ମହିଳା ସରପଂଚ ଭାଙ୍ଗି ପଡ଼ିଥିବା ବେଳେ ସ୍ବାମୀଙ୍କୁ ହତ୍ୟା କରିଥିବା ଲୋକଙ୍କୁ ଉପଯୁକ୍ତ ଶାସ୍ତି ପାଇଁ ନିବେଦନ କରିଛନ୍ତି।ଆବାସ ଯୋଜନା, ଠିକା କାମ ଓ ରାଜନୈତିକ ବିବାଦକୁ ନେଇ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିବା ସହ ପରିବାର ପକ୍ଷରୁ ୩ଜଣ ସନ୍ଦିଗ୍ଧଙ୍କ ନାଁ ଦିଆଯାଇଛି।
ରାଜନୈତିକ ଶତ୍ରୁତା, ଠିକାକାମକୁ ନେଇ ଏହି ହତ୍ୟାକାଣ୍ତ ଘଟିଥିବା ନେଇ ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ପାଇଛି। ସୁରକ୍ଷା ପାଇଁ ଗ୍ରାମରେ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। କଟକ ଗ୍ରାମାଂଚଳ ଆରକ୍ଷୀ ଅଧୀକ୍ଷକ ରାଧାବିନୋଦ ପାଣିଗ୍ରାହୀଙ୍କ ସମେତ ଅତିରିକ୍ତ ଏସ.ପି ଅଲେଖ ଚନ୍ଦ୍ର ଭୋଇ, ଉପଖଣ୍ତ ଆରକ୍ଷୀ ଅଧୀକ୍ଷକ ପ୍ରସନ୍ନ କୁମାର ବିଶ୍ବାଳ, ବାଙ୍କୀ ଥାନାଧିକାରୀ ସମୀର କୁମାର ପଣ୍ତା, ବୈଦେଶ୍ବର ଥାନାଧିକାରୀ ଶୁଭ୍ରାନ୍ତ କୁମାର ଜେନା ପ୍ରମୁଖ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଘଟଣା ପରେ ଗ୍ରାମ୍ୟରାସ୍ତା ଶୂନଶାନ ହୋଇଯାଇଥିବା ବେଳେ ସମସ୍ତ ଦୋକାନବଜାର ବନ୍ଦ ରହିଛି। ଏପରିକି ସର୍ବଦା ଚଳଚଂଚଳ ରହୁଥିବା ଗ୍ରାମୀଣ ଦୈନିକ କୃଷକବଜାର ମଧ୍ୟ ବନ୍ଦ ରହିଛି। ଜଣେ ନିଷ୍ଠାପର କଂଗ୍ରେସ କର୍ମୀଭାବେ ସଂଗଠନକୁ ସୁଦୃଢ କରିବାରେ ଭଗବାନ ସ୍ବାଇଁଙ୍କ ପ୍ରମୁଖ ଭୂମିକା ରହିଥିବା କୁହାଯାଉଛି। ବିଭିନ୍ନ ସମୟରେ ଗ୍ରାମରେ ପୂର୍ବରୁ ହୋଇଥିବା ଦୁର୍ନୀତି ବିରୋଧରେ ସ୍ବର ଉତୋଳନ କରି ସେ ଅନ୍ୟମାନଙ୍କ ଆକ୍ରୋଶର ଶିକାର ହୋଇ ଆସୁଥିଲେ। ତାଙ୍କର ମୁଖ୍ୟ ସହଯୋଗୀ ଆଦିତ୍ୟ ରଣସିଂ ମଧ୍ୟ ବହୁବାର ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।