ବ୍ୟାଙ୍କକୁ ଟଙ୍କା ନେଇ ଯାଉଥିବା ବେଳେ ଲୁଟ୍ ଘଟଣା : ୯ ଲୁଟେରା ଗିରଫ, ନଗଦ ଟଙ୍କା ଓ କାର୍ ଜବତ

ସମ୍ବଲପୁର  : ବ୍ୟାଙ୍କକୁ ଟଙ୍କା ନେଇ ଯିବା ବେଳେ ଲୁଟ୍‌  ମାମଲାରେ ୯ଜଣଙ୍କୁ କୁଚିଣ୍ଡା ଥାନା ପୋଲିସ ଗିରଫ କରିଥିବା ବେଳେ ଆଉ ୨ଜଣ ଫେରାର ଅଛନ୍ତି । ସେମାନଙ୍କ ଠାରୁ ୧୦ଲକ୍ଷର ନଗଦ ଟଙ୍କା , କାର, ବାଇକ ଓ ସୁନାଗହଣା ଜବତ କରିଛି ପୋଲିସ ।
ଖବର ଅନୁଯାୟୀ, ଗତ ୯ ତାରିଖରେ କୁଚିଣ୍ଡା ୟୁନିୟନ ବ୍ୟାଙ୍କରୁ ଲଇମୁରାକୁ ବୋଲେରୋ ଗାଡ଼ିରେ ୩୫ ଲକ୍ଷ ୪୧ ହଜାର ଟଙ୍କା ଯାଉଥିବାବେଳେ ବାଇକରେ ଆସି ୬ ଜଣ ଲୁଟ କରିଥିଲେ। ଲୁଟ୍‌ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା, ଏବଂ ଏଥିରେ ୧୧ଜଣ ସାମିଲ ଥିବା ଜାଣିବାକୁ ପାଇଥିଲା । ତେବେ ୧୧ଜଣଙ୍କ ମଧ୍ୟରୁ ୯ ଜଣକୁ ଗିରଫ କରିଛି କୁଚିଣ୍ଡା ପୋଲିସ। ଆଉ ୨ ଜଣ ଏବେ ବି ଫେରାର୍ ଅଛନ୍ତି ।


ଗିରଫ ୯ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବା କହିଛନ୍ତି ସମ୍ବଲପୁର ଏସପି । ଗିରଫ ଲୁଟେରା ମାନେ ସୁନ୍ଦରଗଡ଼, କେନ୍ଦ୍ରାପଡ଼ଆ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର । ସେମାନଙ୍କଠାରୁ ନଗଦ ୧୦ ଲକ୍ଷ ଟଙ୍କା ଓ ଲୁଟ୍ ଟଙ୍କାରେ କିଣାଯାଇଥିବା ୫ ଲକ୍ଷ ଟଙ୍କାର କାର, ବାଇକ୍ ଓ ସୁନା ଗହଣା ଜବତ ହୋଇଛି। ସେହିପରି ଲୁଟ୍ ରେ ବ୍ୟବହୃତ ୫ଟି ବାଇକ ଓ ୮ଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ଆଜି କୋର୍ଟ ଚାଲାଣ ପରେ ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।