ଆଜି ବାଂଲାଦେଶକୁ ଭେଟିବ ଭାରତ

ବର୍ମିଂହାମ: ଆଇସିସି ବିଶ୍ୱକପ ୨୦୧୯ର ସେମିଫାଇନାଲରେ ପହଂଚିବା ଆଶାରେ ବାଂଲାଦେଶ ମଙ୍ଗଳବାର ଭାରତକୁ ସମ୍ମୁଖୀନ ହେବ । ଭାରତୀୟ ସମୟ ଅପରାହ୍ଣ ୩ଟାରେ ବର୍ମିଂହାମର ଆଜବେଷ୍ଟନ ଷ୍ଟାଡିୟମରେ ଏହି ମୁକାବିଲା ହେବ । ବାଂଲାଦେଶ ୭ଟି ମ୍ୟାଚରେ ୭ ପଏଣ୍ଟ ହାସଲ କରିଛି । ଭାରତ ବ୍ୟତୀତ ପାକିସ୍ତାନ ସହିତ ଆଉ ଏକ ମ୍ୟାଚ ଖେଳିବାର ଅଛି । ଅନ୍ୟପକ୍ଷରେ ଟିମ ଇଣ୍ଡିଆ ପାଖରେ ଆଉ ୨ଟି ମ୍ୟାଚ ଖେଳିବାର ଅଛି । ଭାରତକୁ ସେମିଫାଇନାଲ ପହଂଚିବା ପାଇଁ ମାତ୍ର ଗୋଟିଏ ପଏଣ୍ଟ ଆବଶ୍ୟକ ଅଛି । ଭାରତ ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବ ।

ଏଯାଏଁ ଭଲ ଫର୍ମରେ ଥିବା ଭାରତୀୟ ଟିମ ନିଜର ବିଗତ ମ୍ୟାଚରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା । ପୂର୍ବରୁ ବାଂଲାଦେଶ ଉପରେ ସମସ୍ତେ ଭରସା କରିଥିଲେ । ମାତ୍ର ବାଂଲାଦେଶ ଆଶାନୁରୂପେ ପ୍ରଦର୍ଶନ କରିପାରି ନାହିଁ । ଟିମ ୩ଟି ମ୍ୟାଚ ହାରିଥିବା ବେଳେ ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ବାଂଲାଦେଶ ୩ଟି ମ୍ୟାଚରେ ବିଜୟୀ ହୋଇଛି । 

ଆଜବେଷ୍ଟନରେ ଖେଳାଯିବାକୁ ଥିବା ମ୍ୟାଚରେ ଭାରତକୁ ସତର୍କ ରହବାକୁ ହେବ । ଭାରତ ସେମିଫାଇନାରେ ଯିବାକୁ ହେଲେ ମାତ୍ର ଗୋଟିଏ ପଏଣ୍ଟଆବଶ୍ୟକ କରୁଛି । ଯଦି ବାଂଲାଦେଶ ବିପକ୍ଷରେ ଟିମ ହାରିଯାଏ, ତା’ହେଲେ ଶ୍ରୀଲଙ୍କା ବିପକ୍ଷରେ କରବ । ମର ପରିସ୍ଥିତି ଆସିବ । ଅନ୍ୟପକ୍ଷରେ ବାଂଲାଦେଶ ଯେ କୌଣସି ଟିମର ଖେଳ ବିଗାଡିବାରେ କ୍ଷମତା ରଖିଛି । ଏହି ଟିମ ୨୦୦୭ ବିଶ୍ୱକପରେ ଭାରତକୁ ପରାସ୍ତ କରି ଆରମ୍ଭରୁ ବାହାର କରି ଦେଇଥିଲା । ତେଣୁ ଭାରତୀୟ ଖେଳାଳିଙ୍କୁ ସତର୍କ ରହିବାକୁ ପଡ଼ିବ । 

ବାଂଲାଦେଶର ସବୁଠାରୁ ବଡ଼ ପରିଚୟ ହେଲା, ସେ ଯେତେବେଳେ କର ବା ମର ସ୍ଥିତିରେ ପହଂଚିଥାଏ, ଭୟଙ୍କର ରୂପ ନେଇଥାଏ । ଏଥିପାଇଁ ଭାରତକୁ ସତର୍କ ରହିବା ଜରୁରୀ । ଭାରତର ବିଜୟ ଧାରା ଅଟକିଛି । ଭାରତୀୟ ଟିମ ରବିବାର ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳିଥିଲା ଏବଂ ଗୋଟିଏ ଦିନର ବିଶ୍ରାମ ପରେ ପୁଣି ପଡ଼ିଆକୁ ଓହ୍ଲାଉଛି ।