ଶେଖ୍ ମୁଜିବୁଲ ରହମନଙ୍କ ହତ୍ୟାକାଣ୍ଡ ମାମଲା: ଫାଶୀରେ ଝୁଲିଲା ମାଜେଦ

ଢ଼ାକା: ବାଂଲାଦେଶର ପ୍ରତିଷ୍ଠାତା ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମନଙ୍କ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଅବଦୁଲ ମାଜେଦଙ୍କରୁ ଫାଶୀ ଦିଆଯାଇଛି । ତେବେ ସେ ଜଣେ ପୂର୍ବତନ ସେନା ଅଧିକାରୀ ଥିଲେ । ୧୯୭୫ ମସିହାରେ ବାଂଲାଦେଶ ସେନା ବଳପୂର୍ବକ ସରକାରୀ କ୍ଷମତା ହାସଲ କରିବା ଘଟଣାରେ ଉକ୍ତ ସାମରିକ କପ୍ତାନ୍‌ ଅବଦୁଲ ମାଜେଦଙ୍କର ଭୂମିକା ଥିଲା।

ଆଇନ ମନ୍ତ୍ରୀ ଅନିସୁଲ୍ ହକ୍ ରହମନ୍‌ ଗଣମାଧ୍ୟମକୁ କହିଛନ୍ତି ଯେ ସ୍ଥାନୀୟ ସମୟ ରାତି ୧୨. ୦୧ରେ ଅବଦୁଲ ମାଜେଦଙ୍କୁ ଫାଶୀ ଦିଆଯାଇଛି।

ରାଜଧାନୀ ଢାକା ଉପକଣ୍ଠ କେରାନିଗଞ୍ଜସ୍ଥିତ ଢାକା ସେଂଟ୍ରାଲ ଜେଲ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ମାଜେଦ୍ ମୃତ ବୋଲି ରାତି ୧୨.୧୫ରେ ଡାକ୍ତର ଘୋଷଣା କରିଛନ୍ତି।

ସତ୍କାର ନିମନ୍ତେ ଶବ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜେଲ୍ ସମ୍ମୁଖରେ ଗଣମାଧ୍ୟମକୁ ଜଣାଇଛନ୍ତି କାରାଗାରର ଇନସପେକ୍ଟର୍ ଜେନେରାଲ୍ ବ୍ରିଗେଡିଅର୍ ଏକେଏମ୍ ମୋସ୍ତାଫା କମଲ ପାଶା।

ଦୀର୍ଘ ୨୫ ବର୍ଷ ଧରି ଭାରତରେ (କୋଲକାତା) ଆତ୍ମଗୋପନ କରିଥିବା ମାଜେଦଙ୍କୁ ମଙ୍ଗଳବାର ଦିନ ଢାକାରେ ଗିରଫ କରଯାଇଥିଲା। ଗୁରୁବାର ଦିନ ରାଷ୍ଟ୍ରପତି ଅବଦ୍ଦୁଲ ହମିଦ ତାଙ୍କର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ଶୁକ୍ରବାର ଦିନ ମାଜେଦଙ୍କ ପତ୍ନୀ ଏବଂ ଅନ୍ୟ ଚାରିଜଣ ଆତ୍ମୀୟ ପ୍ରାୟ ୨ ଘଂଟା ଧରି ଜେଲରେ ତାଙ୍କ ସହ କଥାବାର୍ତା କରିଥିଲେ।

ସେ କେବଳ ବଙ୍ଗବନ୍ଧୁଙ୍କ ହତ୍ୟାକାଣ୍ଡରେ ସଂଶ୍ଳୀଷ୍ଟ ନ ଥିଲେ ୧୯୭୫ ମସିହା ନଭେମ୍ବର ୩ ତାରିଖରେ କଡ଼ା ନିରାପତ୍ତା ଥିବା ଢାକା କେନ୍ଦ୍ରୀୟ କାରାଗାରରେ ୪ଜଣ ଜାତୀୟ ସ୍ତରର ନେତାଙ୍କ ହତ୍ୟାକାଣ୍ଡରେ ଭୂମିକା ଗ୍ରହଣ କରିଥିଲେ। ଏ ସବୁ କଥା ସେ ନିଜେ ସ୍ୱୀକାର କରିଥିଲେ।