ଦୁବାଇ:ଭାରତ ଗସ୍ତ ପୂର୍ବରୁ ବାଂଲାଦେଶକୁ ଲାଗିଛି ବହୁତ ବଡ଼ ଝଟକା। ଦୁନିଆର ଏକ ନମ୍ବର ଅଲରାଉଣ୍ଡର ତଥା ବାଂଲାଦେଶ କ୍ରିକେଟ୍ ଦଳର ଅଧିନାୟକ ସାକିବ ଅଲ ହାସନଙ୍କୁ ଆଇସିସି ଦୁଇ ବର୍ଷ କ୍ରିକେଟରୁ ବାସନ୍ଦ କରିଛି। ମ୍ୟାଚ୍ ଫିକ୍ସିଂ ଅଫର ମିଳିଥିବା ଖବରକୁ ଲୁଚାଇବାରୁ ସାକିବଙ୍କ ଉପରେ ଏହି ପ୍ରତିବନ୍ଧକ ଲଗାଇଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ। ସଂପ୍ରତି ସାକିବ ଆଗାମୀ ଦୁଇ ବର୍ଷ ଯାଏ କୌଣସି ପ୍ରକାରର କ୍ରିକେଟ୍ ଖେଳି ପାରିବେ ନାହିଁ।
ସାକିବ ଆଇସିସିର ଦୁର୍ନୀତି ନିବାରଣ କୋଡର ଅବହେଳା ସମ୍ବନ୍ଧିତ ତିନି ଆରୋପକୁ ସ୍ଵୀକାର କରିଛନ୍ତି, ଫଳରେ ଆଇସିସି ତାଙ୍କ ସଜାକୁ ଗୋଟିଏ ବର୍ଷ କମ କରିଛି। ଏହା ସହିତ ସ୍ପଷ୍ଟ ହୋଇଯାଇଛି ଯେ ନଭେମ୍ବର ୩ରୁ ଆରମ୍ଭ ହେଉଥିବା ବାଂଲଦେଶର ଭାରତ ଗସ୍ତରେ ସାକିବ ସାମିଲ ହୋଇ ପାରିବେ ନାହିଁ। ତାଙ୍କୁ ଏହି ଗସ୍ତ ପାଇଁ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା।
ସାକିବଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ସେ ବାଂଲାଦେଶ, ଶ୍ରୀଲଙ୍କା ଓ ଜିମ୍ବାଓ୍ଵେ ମଧ୍ୟରେ ଜାନୁଆରୀରେ ଖେଳାଯାଇଥିବା ତ୍ରିକୋଣୀୟ ଶୃଙ୍ଖଳା ୨୦୧୮ ଓ ଆଇପିଏଲ ୨୦୧୮ ସମୟରେ ସଟ୍ଟାବାଜ ତାଙ୍କ ସହ ଯୋଗାଯୋଗ କରିଥିଲେ। ଏହି ଖବରକୁ ସାକିବ ଆଇସିସିର ଦୁର୍ନୀତି ନିବାରଣ ୟୁନିଟକୁ ଅବଗତ କରାଇନଥିଲେ। ବୁକି ତାଙ୍କ ସଂପର୍କରେ ଥିବା କଥାକୁ ଲୁଚାଇ ରଖିବା ସାକିବଙ୍କ ଉପରେ ଆରୋପ ଲାଗିଥିଲା। ଏଥିରେ ଆଇସିସି କ୍ଷୋଭ ପ୍ରକାଶ କରି ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ସାକିବଙ୍କୁ ଅଭ୍ୟାସ ସେସନରୁ ଦୂରରେ ରଖିବାକୁ କହିଥିଲା।