ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକି ଉଠିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ପ୍ରାୟ ୪ ଘଣ୍ଟାର ନୀତି ହେବ। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ହେରାପଞ୍ଚମୀର ପୂର୍ବଦିନ ଆଡପମଣ୍ଡପରେ ବିରାଜମାନ କରିଥିବା ଶ୍ରୀଜିଉଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହୋଇଥିଲା। ରଙ୍ଗରେ ସଜେଇ ହୋଇ ଲକ୍ଷ୍ମୀ ଠାକୁରାଣୀଙ୍କୁ ଆଡପ ମଣ୍ଡପରେ ଅପେକ୍ଷା କରିଥିଲେ ମହାପ୍ରଭୁ। ସେହିଦିନ ଠାରୁ ଆଉ ବନକଲାଗି ନୀତି ଅନୁଷ୍ଠିତ ହୋଇନଥିଲା । ବାହୁଡା ବିଜେ ପରେ ଆଜି ପ୍ରଥମ ଥର ଲାଗି ମହାପ୍ରଭୁଙ୍କର ରତ୍ନବେଦୀରେ ବନକଲାଗି ନୀତି ଅନୁଷ୍ଠିତ ହେବ।