ଅକ୍ଟୋବର ୧ରେ ବାଉଁଶ ବୋତଲ ଲଞ୍ଚ କରିବେ ନୀତିନ ଗଡକରୀ

ନୂଆଦିଲ୍ଲୀ: ପ୍ଲାଷ୍ଟିକ ବୋତଲର ବିକଳ୍ପକୁ ଶେଷରେ ଖୋଜି ବାହାର କରାଯାଇଛି । ଏମଏସଏମଇ ମନ୍ତ୍ରାଳୟ ଅଧିନରେ ଥିବା ଖଦୀ ଗ୍ରାମଦ୍ୟୋଗ ଆୟୋଗ ବାଉଁଶର ବୋତଲ ନିର୍ମାଣ କରିଛି । ଏହି ବୋତଲର କ୍ଷମତା ଅତି କମରେ ୭୫୦ ଏମଏଲର ରହିବ । ବାଉଁଶ ବୋତଲର ଦାମ ୩୦୦ ଟଙ୍କାରୁ ଆରମ୍ଭ ହେବ । ଏହାସହ ବାଉଁଶର ବୋତଲର ଦାମ ଏହାର ଆକାର ଉପରେ ମଧ୍ୟ ନିର୍ଭର କରିବ ।

ଏହି ବୋତଲ ପରିବେଶ ପାଇଁ ଅନୁକୂଳ ହେବା ସହ ଅଧିକ ସମୟ ପର‌୍ୟ୍ୟନ୍ତ କାର‌୍ୟ୍ୟକ୍ଷମ ହେବ । ଆସନ୍ତା ଅକ୍ଟୋବର ୧ ତାରିଖରେ କେନ୍ଦ୍ରୀୟ ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ଏହି ବାଉଁଶ ବୋତଲର ଶୁଭାରମ୍ଭ କରିବେ । ଅକ୍ଟୋବର ୨ରୁ ସମସ୍ତ ଖଦୀ ଷ୍ଟୋରରେ ବୋତଲ ବିକ୍ରି କରାଯିବ । ସୂଚନାଯୋଗ୍ୟ ଯେ ଅକ୍ଟୋବର ୨ ଗାନ୍ଧୀ ଜୟନୀରୁ ଏକକ ବ୍ୟବହାର ପ୍ଲାଷ୍ଟିକର ବ୍ୟବହାର ଉପରେ କଟକଣା ଲାଗୁ ହେବାକୁ ଯାଉଛି ।

କେଭିଆଇସି ଦ୍ୱାରା ପୂର୍ବରୁ ପ୍ଲାଷ୍ଟିକ ଗିଲାସ ପରିବର୍ତ୍ତେ ମାଟି ପାତ୍ର ନିର୍ମାଣ ଆରମ୍ଭ କରାଯାଇଛି । ଏହି ପ୍ରକିୟା ଅନୁସାରେ ବର୍ତ୍ତମାନ ସୁଦ୍ଧା ଏକ କୋଟିରୁ ଅଧିକ ମାଟି ପାତ୍ର ନିର୍ମାଣ କରାଯାଇଛି । କେଭିଆଇସି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏକ କୋଟିର କ୍ଷମତାକୁ ବୃଦ୍ଧି କରି ୩ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ।

କେଭିଆଇସିର ଚେୟାରମ୍ୟାନ ବି କେ ସକ୍ସେନା କହିଛନ୍ତି, ଅକ୍ଟୋବର ଏକ ତାରିଖରୁ ବାଉଁଶ ବୋତଲ ସବ ଏମଏସଏମଇ ମନ୍ତ୍ରୀ ଶୋରିଷ ତେଲ ବିକ୍ରିର ମଧ୍ୟ ଶୁଭାରମ୍ଭ କରିବେ । ସେ କହିଛନ୍ତି ବାଉଁଶ ବୋତଲ ବିକ୍ରି ଆରମ୍ଭ ହେବା ପରେ ଅନେକ ରୋଜଗାର ସୃଷ୍ଟି ହେବ । ଏହାସହ ସେ କହିଛନ୍ତି ଯେ ଭାରତ ଦୁନିଆ ଦ୍ୱିତୀୟ ସର୍ବବୃହତ ଉତ୍ପାଦକ ଦେଶ, କିନ୍ତୁ ଏହାର ବ୍ୟବହାର ନିଜର ଉତ୍ପାଦ ଗୁଡିକରେ ୫ ପ୍ରତିଶତ ମଧ୍ୟ କରୁନାହୁଁ । ଅନ୍ୟପଟେ ଚୀନ ନିଜ ଫର୍ଣ୍ଣିଚରର ନିର୍ମାଣରେ ୯୦ ପ୍ରତିତଶ ବାଉଁଶ ବ୍ୟବହାର କରିଥାଏ ।