ଗୁଣି ଗାରେଡି ଲାଗି ୪ ବର୍ଷର ଶିଶୁ କନ୍ୟାକୁ ବଳି ! କଳାହାଣ୍ଡିରେ ଚାଞ୍ଚଲ୍ୟ

କଲାହାଣ୍ଡି : ପୁଣି ନର ବଳି ! ତାହା ପୁଣି ୪ ବର୍ଷର ଶିଶୁ କନ୍ୟାକୁ । ଏଭଳି ନରବଳି ଖବର ସାମ୍ମନାକୁ ଆସିଛି କଳାହାଣ୍ଡିରେ । ଏହାକୁ ନେଇ ସମଗ୍ର ଜିଲ୍ଲା ତଥା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ ଶିଶୁ କନ୍ୟାର ମୃତଦେହକୁ ଜବତକରି ତଦନ୍ତ ଆରମ୍ଭ କରିଛି । ଘଟଣା ଘଟିଛି ଲାଞ୍ଜିଗଡର ବିଶ୍ୱନାଥପୁର ଥାନା ବନ୍ଧପାରି ଗାଁରେ । ଅଭିଯୋଗ ଅନୁସାରେ ଗାଁର ସାନ୍ଦ୍ରୁ ମାଝୀଙ୍କ ୪ ବର୍ଷର ଝିଅ ଇନ୍ଦୁ ଗତ ରାତିରେ ଘରେ ଶୋଇଥିବାବେଳେ କେହି ଦୁର୍ୱୁତ ତାକୁ ଉଠାଇନେଇ ଥିଲା । ପରେ ଶିଶୁର ରକ୍ତ ଜୁଡୁବୁଡ ଶବ ଗାଁ ମୁଣ୍ଡ ରାସ୍ତା କଡରୁ ମିଳିଲା । ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ଏକ ବଳି କିମ୍ଭା ଗୁଣଇଗାରେଡିରୁ ଶିଶୁକୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଗତକାଲି ସାନ୍ଦ୍ରୁଙ୍କ ବଡ଼ଶଳା ଖିରସା ମାଝୀଙ୍କ ସ୍ତ୍ରୀ ତିଳ ମାଝୀ ଆତ୍ମହତ୍ୟା କରିବା ଖବର ପାଇ ସାନ୍ଦ୍ରୁ ଓ ତାଙ୍କ ସ୍ତ୍ରୀ ମାତି ମାଝୀ ସ୍ଥାନୀୟ ମାଟିଖଳା ଗାଁକୁ ଯାଇଥିଲେ। ସେଠାରେ ରାତି ହେବାରୁ ଫେରି ନପାରି ରହି ଯାଇଥିଲେ। ଏପଟେ ଘରେ ଇନ୍ଦୁ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ସାନପୁଅ କୃଷ୍ଣ ଥିଲେ। ଭାଇ-ଭଉଣୀ ରାତିରେ ଖାଇପିଇ ଶୋଇ ଯାଇଥିଲେ। ତେବେ ରାତିରେ କୃଷ୍ଣର ନିଦ ଭାଙ୍ଗି ଯିବାରୁ ଘରେ ଇନ୍ଦୁ ନଥିବା ଦେଖିବାକୁ ପାଇଥିଲା। ପଡ଼ିଶା ଘରର ସାଙ୍ଗ ମୁନା ମାଝୀକୁ ଡାକି ଆଖପାଖରେ ଖୋଜିଥିଲେ। ହେଲେ ଇନ୍ଦୁକୁ ପାଇନଥିଲେ। ବୁଧବାର ସକାଳୁ ଗାଁ ମୁଣ୍ତ ରାସ୍ତା କଡ଼ରେ ଇନ୍ଦୁର ରକ୍ତ ଜୁଡୁବୁଡୁ ଶବ ପଡିଥିବା ଖବର ମିଳିଥିଲା। ଖବର ପାଇ ବାପ-ମା’ ଆସିବା ପରେ ଥାନାରେ ଅଭିଯୋଗ କରିଥିଲେ। ବିଶ୍ବନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଘଟଣାସ୍ଥଳରେ ଅତିରିକ୍ତ ଏସ୍‌ପି ମନୋଜ ମହନ୍ତ ଓ କେସିଙ୍ଗା ଏସ୍‌ଡିପିଓ ଗୁପ୍ତେଶ୍ବର ଭୋଇ ମଧ୍ୟ ପହଞ୍ଚିଥିଲେ। ସନ୍ଧାନୀ କୁକୁରର ମଧ୍ୟ ସହାୟତା ନେଇଥିଲା ପୁଲିସ।

ଘର ବାଡିପଟୁ କେହି ଦୁର୍ବୃତ୍ତ ପଶି ଇନ୍ଦୁକୁ ଉଠାଇ ନେଇଥିବା ସ୍ପଷ୍ଟ ହୋଇଥିଲା। ଏ ନେଇ ତଦନ୍ତ ଜାରି ରହିଛି।
ପୁଲିସ ଇତିମଧ୍ୟରେ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଛି। ଏନେଇ କେସ୍‌ ନ˚. ୫୯/୨୦୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ବିଶ୍ବନାଥପୁର ଥାନାଧିକାରୀ କାହ୍ନୁଚରଣ ସ୍ବାଇଁ ପ୍ରକାଶ କରିଛନ୍ତି। ଏହି ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଧରି କଠୋର ଦଣ୍ଡ ଦେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।