ବାଲେଶ୍ୱରର ୫ ପଜିଟିଭ୍ ମଧ୍ୟରୁ ୨ ମହିଳା, ୨ ପୁରୁଷ ଓ ଜଣେ ନାବାଳକ

ଭୁବନେଶ୍ୱର: ଆଜି ସକାଳେ ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୫ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ପ୍ରାଥମିକ ସୂଚନା ମିଳିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି କୁହାଯାଇଛି କି ସଂପ୍ରତି ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତ ପୂର୍ବରୁ ବାଲେଶ୍ୱରରେ ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ନିକଟ ସଂପର୍କୀୟ। ଏଥିସହ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଏହି ୫ ଜଣଙ୍କ ମଧ୍ୟରେ ୨ ଜଣ ମହିଳା, ଦୁଇ ଜଣ ପୁରୁଷ ଓ ଜଣେ ନାବାଳକ ଅଛନ୍ତି। ଦୁଇ ମହିଳାଙ୍କ ବୟସ ୩୪ ବର୍ଷ ହୋଇଥିବା ବେଳେ ଦୁଇ ପୁରୁଷଙ୍କ ବୟସ ଯଥାକ୍ରମେ ୩୮ ବର୍ଷ ଓ ୨୬ ବର୍ଷ। ତେବେ ଆକ୍ରାନ୍ତ ନାବାଳକଙ୍କ ବୟସ ୧୨ ବର୍ଷ ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।

ଆଜି ସକାଳେ ଓଡ଼ିଶାରେ ଆଉ ୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଧିକାରୀକ ୱେବସାଇଟରେ ସୂଚନା ଦିଆଯାଇଥିଲା । ଏମାନେ ସମସ୍ତେ ବାଲେଶ୍ୱରର ବୋଲି ଜଣାପଡ଼ିଥିଲା। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି । ଅନ୍ୟ ପକ୍ଷରେ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହୋଇଛି।

ଉଲ୍ଲେଖଯୋଗ୍ୟ, ଗତକାଲି ବାଲେଶ୍ୱରରୁ  ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ ଥିଲା। ଉକ୍ତ ଶିଶୁଟି ରାଜ୍ୟର ସର୍ବକନିଷ୍ଠ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ନୀଳଗିରି ରାଜବରହମପୁର ଥାନା ଅଂଚଳର ଏହି ଦୁଇ ବର୍ଷର ଝିଅ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ଗତକାଲି ଚିହ୍ନଟ ଅନ୍ୟ ଆକ୍ରାନ୍ତ ୩୨ ବର୍ଷ ବୟସର ଜଣେ ଯୁବକ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।