ଜୁଲାଇ ୫ରେ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ଵର: ଜଣେ ଜେଇଇଙ୍କୁ ସର୍ବସମ୍ମୁଖରେ ଉଠ୍‌ବସ୍‌ କରାଇ ଗିରଫ ହୋଇଥିବା ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଆଜି ଶୁଣାଣୀ ଜୁଲାଇ ୫କୁ ଘୁଞ୍ଚି ଯାଇଛି। ଜୁଲାଇ ୫ରେ ପୁଣି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କଲେ ସ୍ପେଶାଲ କୋର୍ଟ। ଅପର ପକ୍ଷେ ସତ୍ୟପାଠ ଦାଖଲ ପାଇଁ ଜେଇ ଏବଂ ତାଙ୍କ ପତ୍ନୀ କୋର୍ଟରେ ସମୟ ମାଗିଛନ୍ତି। ଏହା ବ୍ୟତୀତ ବିଧାୟକଙ୍କ ଚିକିତ୍ସା ନିଷ୍ପତ୍ତି ଜେଲ କର୍ତ୍ତୃପକ୍ଷଙ୍କ ଉପରେ କୋର୍ଟ ଛାଡ଼ିଛନ୍ତି। ଜେଲ୍ କର୍ତ୍ତୃପକ୍ଷ ଚାହିଁଲେ ବିଧାୟକଙ୍କୁ ଚିକିତ୍ସା ପାଇଁ ପାରିବେ। କୋର୍ଟରେ ଜାମିନ ଶୁଣାଣି ଘୁଞ୍ଚିବା ପରେ ବିଧାୟକଙ୍କୁ ଝାରପଡା ଜେଲ ପଠାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣୀ ପାଇଁ ବିଧାୟକଙ୍କୁ ବଲାଙ୍ଗୀର ପାଟଣାଗଡ଼ରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲ।।

ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ ପାଟଣାଗଡ଼ କୋର୍ଟରେ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣୀ ହୋଇ ପାରିନଥିଲା। ଏଥିପାଇଁ ବିଧାୟକଙ୍କୁ ପାଟଣାଗଡ଼ରୁ ଭୁବନେଶ୍ୱରକୁ ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ମେଡ଼ିକାଲରୁ ତାଙ୍କୁ ପାଟଣାଗଡ଼ ଜେଲ୍‌କୁ ନିଆଯାଇଥିଲା । ଉଭୟ ପକ୍ଷଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସୂଚନାଯୋଗ୍ୟ, ଗତ ଜୁନ୍ ୫ ତାରିଖରେ ରାସ୍ତା ଉପରେ ସର୍ବସମ୍ମୁଖରେ ଜେଇଙ୍କୁ ଉଠବସ୍ କରାଇଥିଲେ ସରୋଜ ମେହେର । ନିମ୍ନମାନର ରାସ୍ତା କାମ ହୋଇଥିବା ଅଭିଯୋଗରେ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ ଦଣ୍ଡିତ କରିଥିଲେ । ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା । ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ଏବଂ ଜେଇଇଙ୍କ ସ୍ତ୍ରୀ ଏ ନେଇ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଗତ ୨୪ ତାରିଖରେ ବିଧାୟକଙ୍କୁ ଗିରଫ କରାଯାଇଥିଲା।