ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଲା ଜାମିନ

କଟକ:ଅର୍ଥତତ୍ଵ ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ବନ୍ଦୀ ଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଆଜି ଜାମିନ ମିଳିଛି। ହାଇକୋର୍ଟ ଆଶୀର୍ବାଦଙ୍କୁ ଜାମିନ ପ୍ରଦାନ କରିଛନ୍ତି । 

ପୂର୍ବରୁ ଆଶୀର୍ବାଦ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କୁ ଜାମିନ ଦେବାକୁ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସିବିଆଇ କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ କରିଥିଲେ। ଆଜି ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି ।

ଅର୍ଥତତ୍ଵ ଚିଟଫଣ୍ଡ ମାମଲାରେ ସିବିଆଇ ଗତ ୧୯ ତାରିଖରେ ଆଶୀର୍ବାଦ ବେହେରା ଓ ହୋଟେଲ ସୋଲାନର ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରିଥିଲା। ଗିରଫ ପରେ ଆଶୀର୍ବାଦ ଓ କମଳାକାନ୍ତ ଦାସଙ୍କୁ ଭୁବନେଶ୍ଵର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ମାତ୍ର ଜଜ ଆଶୀର୍ବାଦଙ୍କ ଜାମିନ ଆବେଦନ ଖାରଜ କରି ଉଭୟଙ୍କୁ ଜେଲ ପଠାଇ ଦେଇଥିଲେ। ଏହା ପୂର୍ବରୁ ତାଙ୍କ ବାସଭବନ ଓ ଓସିଏ କାର୍ୟ୍ୟା ଳୟ ଉପରେ ସିବିଆଇ ଚଢାଉ କରିଥିଲା।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ପ୍ରିମିୟର୍‌ ଲିଗ୍‌ରେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ କମ୍ପାନୀଠାରୁ କୋଟିଏ ଟଙ୍କା ଆଣିଥିଲେ ଆଶୀର୍ବାଦ ବେହେରା । ଟଙ୍କା ନେଇ ଗୋଟିଏ ଚିଟ୍‌ଫଣ୍ଡ୍‌ କମ୍ପାନୀର ବିଜ୍ଞାପନ କରିଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ ସେ କୋଟିଏ ଟଙ୍କା ହିସାବ ଦେଇ ପାରି ନ ଥିଲେ ।