ଆରମ୍ଭ ହେଲା ରଥଟଣା

ପୁରୀ : ବାହୁଡ଼ାରେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଛି । ୧୧ଟା ୨୫ରେ ଗଡ଼ିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ । ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ରଥଟଣା ଆରମ୍ଭ ହୋଇଛି । ୯ଦିନ ଧରି ମାଉସୀ ଘରେ ରହିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ସୁଭଦ୍ରା ଏବଂ ବଡ଼ ଭାଇ ବଳଭଦ୍ରଙ୍କୁ ସାଙ୍ଗରେ ଧରି ଆଜି ରତ୍ନବେଦୀକୁ ବାହୁଡ଼ିବେ। ବୁଧବାର ବାହୁଡ଼ାଯାତ୍ରା ଅବସରରେ ପ୍ରଥମେ ମହାପ୍ରଭୁଙ୍କ ପହଣ୍ଡି ଶେଷ ହୋଇଥିଲା । ପ୍ରଥମେ ଶ୍ରୀ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ପହଣ୍ଡିରେ ଆସି ରଥକୁ ବିଜେ ହୋଇଥିଲେ । ସକାଳ ସାଢ଼େ ୯ଟା ସୁଦ୍ଧା ପହଣ୍ଡି ଶେଷ ହେବା ପରେ ଶରଧାବାଲିରେ ରଥାରୂଢ଼ ହୋଇଥିଲେ ତିନି ଠାକୁର।

ଏହା ପରେ ରଥରେ ମହାପ୍ରଭୁଙ୍କ ରୀତିନୀତି ସମ୍ପନ୍ନ ହୋଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥକୁ ଆସି ଛେରାପହଁରା କରିଥିଲେ । ଗଜପତି ପ୍ରଥମେ ବଡଠାକୁରଙ୍କ ତାଳଧ୍ୱଜ ରଥ ପରେ ଦେବୀ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଗଜପତି ଛେରାପହଁରା କରିଥିଲେ । ରଥରେ ପ୍ରଥମେ ପବିତ୍ର ଜଳ ସିଞ୍ଚନ ଏବଂ ଆଳତୀ କରିବା ପରେ ସୁନାର ଝାଡୁରେ ଗଜପତି ଛେରାପହଁରା କରିଥିଲେ ।

ପ୍ରଥମେ ତାଳଧ୍ଵଜ, ପଛକୁ ଦେବଦଳନ ଏବଂ ଶେଷରେ ନନ୍ଦିଘୋଷ ରଥକୁ ସେବାୟତମାନେ ଶ୍ରୀମନ୍ଦିର ଅଭିମୁଖେ ଟାଣିନେବେ। ଗୁଣ୍ଡିଚା ଯାତ୍ରା ପରି ବାହୁଡ଼ା ଯାତ୍ରା ବି ବିନା ଭକ୍ତରେ ଅନୁଷ୍ଠିତ ହେବ। ବଡ଼ଦାଣ୍ଡକୁ ଯେପରି କୌଣସି ଲୋକ ନ ଆସିବେ ସେଥିଲାଗି ସମସ୍ତ ପ୍ରବେଶ ପଥକୁ ପୁଲିସ ସିଲ୍‌ କରିଦେବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରଯାଇଛି। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ବିଭିନ୍ନ ଗଳିକନ୍ଦି ଏବଂ ସାହିରାସ୍ତାକୁ ବ୍ୟାରିକେଡ୍‌ ଦ୍ବାରା ବନ୍ଦ କରିଦିଆଯାଇଛି।