ଲକ୍ ଡାଉନ୍ ନ ମାନି ଶ୍ରୀଜୀଉଙ୍କୁ ଦର୍ଶନ କଲେ, ହେଲେ ନିଲମ୍ବିତ

ଭୁବନେଶ୍ୱର: କରୋନାକୁ ନେଇ ଚାରିଆଡେ ଲକ୍ ଡାଉନ୍ ହୋଇଥିବାବେଳେ ମହାପ୍ରଭୁ ଶ୍ରୀଜୀଉଙ୍କୁ ଦର୍ଶନ କରିବା ନେଇ କଟକଣା ଲାଗୁ ହୋଇଛି । ତେବେ ଏହି ନିୟମକୁ ପାଳନ ନ କରି ଯାଜପୁର ଜିଲ୍ଲାର ବଡ଼ଚଣା ଥାନାର ଆଇଆଇସି ଦୀପକ କୁମାର ଜେନା ଗତକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ଏହି ଘଟଣାକୁ ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ତାଙ୍କୁ ନିଲମ୍ବନ କରିଛନ୍ତି । ଏ ନେଇ ରାଜ୍ୟ ପୋଲିସ ଡିଜି ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଇଆଇସି ଦୀପକ କୁମାର ଜେନା ଗତକାଲି ଶ୍ରୀମନ୍ଦିର ଦର୍ଶନ କରିଥିଲେ । ସେ ନିଜ ପରିବାର ସହିତ ବଡ଼ଚଣାରୁ ପୁରୀ ଅଭିମୁଖେ ବାହାରିଥିଲେ । ନିଜେ ପୋଲିସ ବିଭାଗରେ କାର୍ଯ୍ୟରତ ଥିବାରୁ ଶ୍ରୀମନ୍ଦିରରେ ମୁତୟନ ଥିବା ପୋଲିସମାନେ ଦୀପକ ଓ ତାଙ୍କର ପରିବାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇଥିଲେ । ମାତ୍ର ଶ୍ରୀଜିଉଙ୍କ ଦର୍ଶନ ପରେ ଏନେଇ ସିଂହ ଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିଲା । ମାମଲାକୁ ଭିତ୍ତି କରି ପୋଲିସ ଡିଜି ଆଜି ଦୀପକଙ୍କୁ ନିଲମ୍ବନ କରିଥିବା ଜଣାଯାଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏକ ଶୃଙ୍ଖଳିତ ବିଭାଗରେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀ ବିଶୃଙ୍ଖଳିତ ଭାବେ ଠାକୁର ଦର୍ଶନ କରିବା କେତେ ଯୁକ୍ତିଯୁକ୍ତ । ଲକଡାଉନ ଆରମ୍ଭ ହେବା ପରେ ଶ୍ରୀମନ୍ଦିରରେ ପ୍ରାୟ ଏକ ମାସ ହେବ ସାଧାରଣ ଦର୍ଶନ ବନ୍ଦ ଅଛି । ଏକଥା ଜାଣି ବି ଆଇଆଇସି ଦୀପକ କୁମାର ଶ୍ରୀମନ୍ଦିରକୁ ପ୍ରବେଶକ କରିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଇଛି ।