ବଡ଼ ଆଖଡ଼ା ମଠର ଉଚ୍ଛେଦ ଆରମ୍ଭ

ପୁରୀ:ଆମିକସ୍‌ କ୍ୟୁରୀଙ୍କଠାରୁ ସବୁଜ ସଙ୍କେତ ମିଳିବା ପରେ ଆଜିଠାରୁ ପୁଣି ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ଲଙ୍ଗୁଳି ମଠ ପଟରୁ ଭଙ୍ଗା ଯାଉଛି । ମଠ ପରିସରରେ ଥିବା ସମସ୍ତ ୩୭ଟି ଦୋକାନ ଘର ଉଚ୍ଛେଦ କରାଯାଉଛି । ମଠରେ ଥିବା ବିଜେସ୍ଥଳି, ଗାଦିସ୍ଥଳି, ରୋଷଘର ଓ ହନୁମାନ ମନ୍ଦିର ଉଚ୍ଛେଦ ହେବନି ବୋଲି କୁହାଯାଇଛି । ନିଜେ ମାଜିଷ୍ଟ୍ରେଟ୍ ଘଟଣା ସ୍ଥଳରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ପ୍ରଶାସନ ଓ ଆଖଡ଼ା ମଠର ସାଧୁସନ୍ଥମାନେ ମୁହାଁମୁହିଁ ହେବାରୁ ବଡ଼ ଆଖଡ଼ା ମଠର ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଥିଲା । ଗତକାଲି ସ୍ଥିତି ଅନୁଧ୍ୟାନ କରିବାକୁ ପୁରୀ ଗସ୍ତରେ ଆସିଥିବା ଆମିକସ୍‌କ୍ୟୁରି ରଞ୍ଜିତ କୁମାର ଉଚ୍ଛେଦ କାର୍ଯ୍ୟକୁ କ୍ଲିନଚିଟ୍‌ ଦେଇଥିଲେ । ଆଗକୁ ନାଗାର୍ଜୁନ ବେଶ ହେବାର ରହିଛି । ଏଥିରେ ପ୍ରାୟ ପନ୍ଦର ଲକ୍ଷ ଲୋକ ଶ୍ରୀକ୍ଷେତ୍ରକୁ ଆସିବାର ଆକଳନ କରାଯାଇଛି । ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଏବଂ ପୁରୀ ସହରରେ ବିଶ୍ୱ ଐତିହ୍ୟରେ ପରିଣତ କରିବାକୁ ଉଚ୍ଛେଦ କରାଯିବା ଉଚିତ ବୋଲି ଆମିକସ୍‌ କ୍ୟୁରୀ କହିଥିଲେ । ଏହା ପରେ ଆଜିଠାରୁ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।