ଅଜିତ ଡୋଭାଲଙ୍କ ବାସଭବନରେ ଧର୍ମଗୁରୁଙ୍କ ବଡ଼ ବୈଠକ

ନୂଆଦିଲ୍ଲୀ:ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ ଆସିବା ପରେ ଦେଶରେ ଶାନ୍ତି ସ୍ଥାପନ କରିବାକୁ ସରକାର ବିଭିନ୍ନ ଧର୍ମଗୁରୁଙ୍କ ସହ ବୈଠକ କରିଛନ୍ତି। ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶକ ଅଜିତ ଡୋଭାଲ ବାବା ରାମଦେବ, ସ୍ଵାମୀ ପରମାତ୍ମାନନ୍ଦ, ଅବଧେଶାନନ୍ଦ, ଗିରି ଶିୟା ମୁସଲିମ ଧର୍ମଗୁରୁ ମୌଲାନା କଲବେ ଜବାଦ, ମୌଲାନା ଅରଶଦ ମଦନୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ବୈଠକର ଆୟୋଜନ ଅଜିତ ଡୋଭାଲଙ୍କ ଘରେ କରାଯାଇଥିଲା।

ସୂଚନାନୁଯାୟୀ, ବିଭିନ୍ନ ଧର୍ମଗୁରୁମାନେ ଅଜିତ ଡୋଭାଲଙ୍କ ସହ ଦେଶର ବର୍ତ୍ତମାନର ସ୍ଥିତିକୁ ନେଇ ଚର୍ଚ୍ଚା କରିଛନ୍ତି। ବିଭିନ୍ନ ସମୁଦାୟର ନେତାମାନେ ସଦଭାବ ରକ୍ଷାକରି ସମାଜରେ ଶାନ୍ତିବାର୍ତ୍ତା ପ୍ରେରଣ କରିବାକୁ ଚର୍ଚ୍ଚା କରାଯାଇଛି। ଏହା ପୂର୍ବରୁ ଡୋଭାଲ ବାବା ରାମଦେବ, ସ୍ଵାମୀ ପରମାତ୍ମାନନ୍ଦ, ଅବଧେଶାନନ୍ଦ, ମୌଲାନା ଅରଶଦ ମଦନୀଙ୍କ ସହ ସେମାନଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଡୋଭାଲଙ୍କ ସହ ସାକ୍ଷାତ କରିବା ପରେ ଅବଧେଶାନନ୍ଦ କହିଥିଲେ ଯେ, ଅଯୋଧ୍ୟାରେ ଅନ୍ତିମ ରାୟ ଆସିବା ପରେ ସେ ଡୋଭାଲଙ୍କ ସହ ଚର୍ଚ୍ଚା କରିବେ। ସେହିପରି ପରମାତ୍ମାନନ୍ଦ କହିଥିଲେ ଯେ, ଆମେ ଦେଶରେ ଶାନ୍ତି ସ୍ଥାପନ କରିବୁ।

ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଶନିବାର ସକାଳେ ଅଜିତ ଡୋଭାଲ, ଗୁଇନ୍ଦା ବିଭାଗର ପ୍ରମୁଖ ଅଧିକାରୀ, ଓ ମନ୍ତ୍ରାଳୟର ଉଚ୍ଚ ଅଧିକାରୀଙ୍କ ସହ ସୁରକ୍ଷା ସମୀକ୍ଷା ବୈଠକ କରିଥିଲେ। ବୈଠକ ସରିବା ପରେ ଗୁହମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଗୋଟିଏ ପରେ ଗୋଟିଏ ଫୋନ କରି ସ୍ଥିତି ଉପରେ ଦୃଷ୍ଟି ଦେବାକୁ କହିଥିଲେ। ସେହିପରି ପୋଲିସକର୍ମୀମାନେ ମଧ୍ୟ ଅଲଗା ଅଲଗା ସେଲ୍ କରି ସୋସିଆଲ ମିଡିଆ ଉପରେ ନଜର ରଖିଥିଲେ। କୌଣସି ଭ୍ରମାତ୍ମକ ଖବର ପ୍ରସାରଣ ଉପରେ ଦୃଷ୍ଟି ଦେଇଥିଲେ।