‘ଆଜାଦୀ କା ଅମୃତ ମହୋତ୍ସବ’ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

‘ଆଜାଦୀ କା ଅମୃତ ମହୋତ୍ସବ’ ଆଗାମୀ ପିଢ଼ିକୁ ଭାରତର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବଳିଷ୍ଠ ତ୍ୟାଗ, ମହାନତା, ବଳିଦାନ ସମ୍ପର୍କରେ ସନ୍ଦେଶ ଦେବ : ଶ୍ରୀ ବିଷ୍ଣୁପଦ ସେଠି

ଭୁବନେଶ୍ୱର : ଭାରତ ସରକାରଙ୍କ, ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ, ଭୁବନେଶ୍ୱର ଏବଂ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା “ଆଜାଦୀ କା ଅମୃତ ମହୋତ୍ସବ” ଶୀର୍ଷକ କାର୍ଯ୍ୟକ୍ରମରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠି କହିଛନ୍ତି ଆମେ ସ୍ୱାଧୀନତା କେତେ କଷ୍ଟରେ ପାଇଛୁ ତାହା ସମସ୍ତେ ଅନୁଭବ କରିବା ଉଚିତ ଏବଂ ଏଭଳି କାର୍ଯ୍ୟକ୍ରମ ଆଗାମୀ ପିଢ଼ିକୁ ଭାରତର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବଳିଷ୍ଠ ତ୍ୟାଗ, ମହାନତା, ବଳିଦାନ ସମ୍ପର୍କରେ ସନ୍ଦେଶ ଦେବ I ଆଜି ଭାରତ ବର୍ଷରେ କେହି ଅନାହାର ଜନିତ କାରଣରୁ ମୃତ୍ୟୁ ବରଣ କରୁନାହାନ୍ତି ଏବଂ ଏହା ସମ୍ଭବ ହୋଇପାରିଛି କେବଳ ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ହୋଇଥିବା ଯୋଗୁଁ I ଶ୍ରୀ ସେଠି ନିଜ ଦ୍ୱାରା ରଚିତ ‘ଅହିଂସା’ ଶୀର୍ଷକ କବିତା ପାଠ କରି ସମସ୍ତ ଯୁବ ପିଢିଙ୍କୁ ରାଷ୍ଟ୍ର ପ୍ରତି ନିଜର କର୍ତ୍ତବ୍ୟ ପ୍ରତିପାଦନ କରିବା ପାଇଁ ଅନୁପ୍ରାଣିତ କରିଥିଲେ I


କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦେଶକ ଏବଂ ଅତିରିକ୍ତ ସଚିବ ଶ୍ରୀ ରଞ୍ଜନ କୁମାର ଦାସ କହିଛନ୍ତି ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ, ଆତ୍ମ ଉତ୍ସର୍ଗର ଗାଥା ଆଗାମୀ ପିଢିଙ୍କ ମଧ୍ୟରେ ସଂଚାର ହେବା ଆବଶ୍ୟକତା ଅଛି। ଓଡ଼ିଶାର ପ୍ରମୁଖ ପୀଠ ଇଂଚୁଡି, ତେଲେଙ୍ଗାପେଣ୍ଠ ଏବଂ ଓଡିଶାର ଅନ୍ୟାନ୍ୟ ସ୍ଥାନ ଯାହା ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମ ସଂଗେ ଜଡିତ ସେ ସ୍ଥାନ ଗୁଡିକ ଠାରେ ଏହାର ପୁନଃ ଅନୁକରଣ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ ହେବ। ନୂଆପିଢୀ ମାନେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ସମ୍ପର୍କରେ ଅବଗତ ହେବା ସଂଗେ ସଂଗେ ଆମେ ସମସ୍ତେ ଗୋଟିଏ ଜାତି, ଗୋଟିଏ ରାଷ୍ଟ ନିର୍ମାଣ କରିବା ପାଇଁ ପ୍ରୟାଶ କରିବା ଆବଶ୍ୟକ ଅଛି।


ଆଞ୍ଚଳିକ ଜନସମ୍ପର୍କରେ କାର୍ଯ୍ୟାଳୟର ନିର୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଗାନ୍ଧିଜୀଙ୍କ ସମୟାନୁବର୍ତ୍ତିତା ଆଦର୍ଶକୁ ସମସ୍ତେ ଗ୍ରହଣ କରି ଜୀବନର ପ୍ରତ୍ୟକ ସମୟକୁ ସଠିକ ଭାବେ ବିନିଯୋଗ କରିବା ପାଇଁ କହିଛନ୍ତି। ସେ ଆହୁରି କହିଛନ୍ତି ଗାନ୍ଧିଜୀ ଜୀବନର ମହତ୍ୱକୁ ଭଲଭାବେ ବୁଝିଥିଲେ ଏବଂ ନିଜକୁ ରାଷ୍ଟ୍ର ସେବାରେ ଉପଯୋଗ କରିବା ପାଇଁ ଆମ ସମସ୍ତଙ୍କୁ ପ୍ରେରଣା ଦେଇଛନ୍ତି।
କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରଫେସସର ଶ୍ରୀ ଅଶୋକ ପଟ୍ଟନାୟକ କହିଛନ୍ତି ସମାଜର ସମସ୍ତ ବର୍ଗର ଲୋକଙ୍କୁ ଗାନ୍ଧୀଜୀଙ୍କ ଏକତ୍ରିତ କରିବାରେ ପ୍ରମୁଖ ଅବଦାନ ଥିଲା। ଭାରତର ସ୍ୱାଧୀନତା ପାଇଁ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ମାନେ ଯେଉଁ ବଳିଦାନ ଦେଇଛନ୍ତି ତାହା ଲୋକଙ୍କ ସମ୍ମୁଖରେ ଆଣିବାର ଆବଶ୍ୟକତା ଅଛି । ଭାରତର ବିଭିନ୍ନ ଜାତି, ଧର୍ମ, ଗୋଷ୍ଠୀ, ସମ୍ପ୍ରଦାୟର ଲୋକ ଏକତ୍ରିତ ହେଲେ ଦେଶର ଅର୍ଥନୈତିକ ବିକାଶ ନିଶ୍ଚିତ ହେବ।
କାର୍ଯ୍ୟକ୍ରମର ଶେଷରେ ବିଭାଗର ପଂଜିକୃତ କଳାକାରଙ୍କ ଦ୍ୱାରା “ଲବଣ ସତ୍ୟାଗ୍ରହ ଓ ଜୟ ରାଜଗୁରୁ ଶୀର୍ଷକ” ନାଟକ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଓଡିଶା ରାଜ୍ୟ ସଂଗ୍ରହାଳୟର ଅଧ୍ୟକ୍ଷା ଡ଼. ଭାଗ୍ୟଲିପି ମଲ୍ଲ ପରିଚାଳନା କରିଥିଲେ।