୧୯ରେ ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ବୈଠକ

ଘୋଷଣା ହୋଇପାରେ ନିର୍ମାଣ ତାରିଖ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ହୋଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସଂସଦରେ ଏହାର ଘୋଷଣା କରିଥିଲେ । ଏବେ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ର ପ୍ରଥମ ବୈଠକ ୧୯ ଫେବୃୟାରୀରେ ଦିଲ୍ଲୀରେ ଅନୁଷ୍ଠିତ ହେବ । ଏହି ବୈଠକରେ ନୂଆ ସଦସ୍ୟ ନିର୍ବାଚିତ ହେବେ । ଏହାସହ ଏହି ବୈଠକରେ ହିଁ ରାମ ମନ୍ଦିର ନିର୍ମାଣ ପାଇଁ ତାରିଖ ମଧ୍ୟ ଘୋଷଣା ହୋଇପାରେ ।

ପୂର୍ବରୁ ଗତବର୍ଷ ନଭେମ୍ବର ୯ରେ ସର୍ବୋଚ୍ଚ ଅଦାଲତ ଦେଶର ଏହି ସର୍ବ ପୁରାତନ ମାମଲାର ରାୟ ଦେଇଥିଲେ । ଏହାସହ ମନ୍ଦିର ନିର୍ମାଣ ପାଇଁ ଏକ ସ୍ବାଧିନ ଟ୍ରଷ୍ଟ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କେନ୍ଦ୍ର ସରକାର ଟ୍ରଷ୍ଟ ଗଠନ କରିଛନ୍ତି । ଗଠନ ହୋଇଥିବା ଟ୍ରଷ୍ଟରେ ୧୫ ଜଣ ସଦସ୍ୟ ଅଛନ୍ତି । ଯେଉଁଥିରେ ୯ ଜଣ ସ୍ଥାୟୀ ସଦସ୍ୟ ଥିବାବେଳେ ୬ ଜଣ ଚୟନ ଭିତିରେ ରହିବେ । ଟ୍ରଷ୍ଟ ଗଠନ ପରେ ଟ୍ରଷ୍ଟକୁ କେନ୍ଦ୍ର ସରକାର ୧ ଟଙ୍କା ଦାନ କରିଛନ୍ତି । ଏହା ପ୍ରଥମ ଦାନ ଟଙ୍କା । କେନ୍ଦ୍ର ସରକାରଙ୍କ ତରଫରୁ ଗୃହମନ୍ତ୍ରଣାଳୟର ଯୁଗ୍ମ ସଚିବ ଡି. ମୁର୍ମୁ ଏହି ଟଙ୍କା ଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଗଠିତ ହୋଇଥିବା ଟ୍ରଷ୍ଟ ଯେକୌଣସି ବ୍ୟକ୍ତି ବିଶେଷ , ଅନୁଷ୍ଠାନ, ସଂସ୍ଥା ଠାରୁ ଟଙ୍କା ଦାନ ନେଇପାରିବେ । ଏହାସହ ଅନୁଦାନ, ଅଶଂଦାନ, ଯୋଗଦାନ ମଧ୍ୟ ନେଇପାରିବେ ।

ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ରାମଲାଲାଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ କେଶବନ ଅୟଙ୍ଗାର ପରାସରଣ ଟ୍ରଷ୍ଟର ମୁଖ୍ୟ ରହିବେ । ଏହାସହ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ, ଜଗତଗୁରୁ ମାଧବାନନ୍ଦ ସ୍ବାମୀ, ଯୁଗ ପୁରୁଷ ପରମାନନ୍ଦ ଜୀ ମହାରଜ ମଧ୍ୟ ଟ୍ରଷ୍ଟରେ ରହିବେ । ଏହା ବ୍ୟତୀତ ପୁଣେ ସ୍ଥିତ ଗୋବିନ୍ଦ ଦେବ ଗିରି, ଅଯୋଧ୍ୟାର ଜଣାଶୁଣା ଡାକ୍ତର ଅନିଲ ମିଶ୍ରା , କାମେଶ୍ବର ଚୌପାଲ ଏବଂ ନିର୍ମୋହି ଆଖଡାର ଧୀରେନ୍ଦ୍ର ଦାସ ମଧ୍ୟ ସାମିଲ ହେବେ ।

ଟ୍ରଷ୍ଟର କାର୍ଯ୍ୟାଳୟ ବର୍ତମାନ ପରାସରଣଙ୍କ ବାସଭବନରେ କାର୍ଯ୍ୟକ୍ଷମ ହେବ । ମନ୍ଦିର ନିର୍ମାଣ ଆରମ୍ଭ ହେଲେ ଏହାର ସ୍ଥାୟୀ କାର୍ଯ୍ୟାଳୟ ସ୍ଥାପନା କରାଯିବ । ଏହି ଟ୍ରଷ୍ଟ ପାଖରେ ରାମ ମନ୍ଦିର ନିର୍ମାଣ ଓ ଏହାସହ ଜଡିତ ବିଷୟର ସମସ୍ତ ନିର୍ଣ୍ଣୟ ନେବ ।