ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ ପ୍ରଥମେ କେନ୍ଦ୍ର ସରକାର ୧ ଟଙ୍କା ଦେଲେ ଦାନ

ନୂଆଦିଲ୍ଲୀ: ଉତରପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ “ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର” ଟ୍ରଷ୍ଟ ଗଠନ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଘୋଷଣା କରିଥିଲେ । ତେବେ ଟ୍ରଷ୍ଟ ପାଇଁ ନଗଦ ୧ ଟଙ୍କ ଦାନ ମଧ୍ୟ ମିଳିଛି ।

ଅଯୋଧ୍ୟାରେ ରାମ ମନ୍ଦିରନିର୍ମାଣ  ପାଇଁ ଗଠିତ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’କୁ ପ୍ରଥମ କରି ଦାନ ସ୍ୱରୂପ ୧ ଟଙ୍କା ନଗଦ ମିଳିଛି । ଏହି ଦାନ ଟଙ୍କା ଦ୍ୱାରା ଟ୍ରଷ୍ଟ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ ଦିଗରେ କାମ ଆରମ୍ଭ ହେବ । କେନ୍ଦ୍ର ସରକାର ତରଫରୁ ଏହି ଦାନକୁ ଗୃହ ମନ୍ତ୍ରାଳୟରେ ଓଭର ସଚିବ ଡି ମୁର୍ମୁ ଦେଇଛନ୍ତି । ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଟ୍ରଷ୍ଟ ଅସ୍ଥାବର ସମ୍ପତି ସମେତ ବିନା କୌଣସି ସର୍ତରେ କୌଣସି ବ୍ୟକ୍ତିଙ୍କ ଠାରୁ ଦାନ, ଅନୁଦାନ, ଯୋଗଦାନ ନେଇ ପାରିବ । 

ଆରମ୍ଭରୁ ଟ୍ରଷ୍ଟ ବରିଷ୍ଠ ଓକିଲ କେ ପରାସରନଙ୍କ ନିବାସରୁ କାର୍ଯ୍ୟାଳୟ କାମ କରିବ କିନ୍ତୁ ପରେ ଏହାର ସ୍ଥାୟୀ କାର୍ଯ୍ୟାଳୟ ଖୋଲାଯିବ । ଏହି ଟ୍ରଷ୍ଟ ନିକଟରେ ରାମ ମନ୍ଦିର ନିର୍ମାଣ ଓ ଏଥି ସହିତ ଜଡ଼ିତ ବିଷୟ ଉପରେ ସ୍ୱତନ୍ତ୍ର ଭାବେ ନିର୍ଣ୍ଣୟ କରିବାର ଅଧିକାର ରହିବ । ଟ୍ରଷ୍ଟର ପଞ୍ଜିକରଣ କାର୍ଯ୍ୟାଳୟ ଦିଲ୍ଲୀରେ ରହିବ ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକରେ ମଞ୍ଜୁରୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିର ନିର୍ମାଣର ‘ବୃହତ ଯୋଜନା’ ଓ ଏଥି ପାଇଁ ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ନାମରେ ଟ୍ରଷ୍ଟର ଗଠନ ନେଇ ଲୋକସଭାରେ ସୂଚନା ଦେଇଥିଲେ । ମୋଦୀ କହିଥିଲେ, ମନ୍ତ୍ରିମଣ୍ଡଳର ନିଷ୍ପତି ରାମ ଜନ୍ମଭୂମି-ବାବ୍ରୀ ମସଜିଦ ମାମଲାରେ ଗତ ନଭେମ୍ବରରେ ସୁପ୍ରିମକୋର୍ଟ ଦ୍ୱାରା ଦିଆଯାଇଥିବା ନିଷ୍ପତିର ଅନୁରୂପ ଅଟେ ।