ନୂଆଦିଲ୍ଲୀ:ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ବହୁ ଚର୍ଚ୍ଚିତ ଓ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମଜନ୍ମଭୂମି-ବାବ୍ରି ମସଜିଦ ମାମଲାରେ ଶୁଣାଣି କରିଥିବା ଜଜଙ୍କୁ ରାତ୍ରୀଭୋଜନ ଦେବାକୁ ଯାଉଛନ୍ତି। ଦିଲ୍ଲୀର ତାଜମାନ ସିଂହ ହୋଟେଲରେ ସିଜେଆଇ ଅଯୋଧ୍ୟା ମାମଲାର ରାୟ ଶୁଣାଇଥିବା ଖଣ୍ଡପୀଠଙ୍କୁ ରାତ୍ରୀଭୋଜନରେ ଆପାୟିତ କରିବେ। ରାତ୍ରୀଭୋଜନରେ ଜଷ୍ଟିସ ଏସ.ଏ ବୋବଡ଼େ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଡି.ଓ୍ଵାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଅବଦୁଲ ନଜିର ଯୋଗ ଦେବେ। ଉଲ୍ଲେଖନୀୟ ଏହି ପାଞ୍ଚ ଜଣିଆ ଖଣ୍ଡପୀଠ ଦେଶର ସର୍ବ ପୁରାତନ ସମ୍ବେଦନଶୀଳ ମାମଲାରେ ଆଜି ଐତିହାସିକ ରାୟ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଅର୍ଥାତ୍ ୫-୦ରେ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। ଏହି ବିବାଦୀୟ ଜମିରେ ଦାବି କରିଥିବା ନିର୍ମୋହୀ ଆଖଡାର ଯାଚିକା ଖାରଜ କରି ସୁପ୍ରିମକୋର୍ଟ ରାମଲଲା ବିରାଜମାନ ଏବଂ ସୁନ୍ନି ୱାକଫ ବୋର୍ଡକୁ ପକ୍ଷକାର ମାନିଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଆହ୍ଲାବାଦ ହାଇକୋର୍ଟ ଦ୍ଵାରା ଦିଆଯାଇଥିବା ରାୟକୁ ତର୍କହୀନ କହି ରାମଲଲା ବିରାଜମାନ ପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି। ଏହା ସହ ସୁନ୍ନୀ ୱାକଫ ବୋର୍ଡକୁ ଅଯୋଧ୍ୟାରେ ଅନ୍ୟତ୍ର ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସୁପ୍ରିମକୋର୍ଟ ୩ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।