ରାୟଗଡା: ଏକ ଭୋଜିରେ ସିଲିଣ୍ଡର ଫାଟି ଯିବାରୁ ୪ ଜଣ ମହିଳା ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ରାୟଗଡା ଡିଏଫଓ କଲୋନୀରେ । ସେମାନଙ୍କୁ ଚିକିତ୍ସା ପାଇଁ ରାୟଗଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଛି ।
ସୂଚନା ମୁତାବକ, ମନୋରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ବାପାଙ୍କ ଶ୍ରାଦ୍ଧ ପାଇଁ ଭୋଜିଭାତର ଆୟୋଜନ ହୋଇଥିଲା | ରୋଷେଇ ଚାଲିଥିବାବେଳେ କୌଣସି କାରଣରୁ ଗ୍ୟାସ ସିଲିଣ୍ଡରରୁ ଚୁଲାକୁ ସଂଯୋଗ କରୁଥିବା ପାଇପରେ ନିଆଁ ଲାଗିଯାଇଥିଲା |
ଯାହାଫଳରେ ଆଖି ପିଛୁଳାକେ ନିଆଁ ଚାରିଆଡେ ବ୍ୟାପିଯାଇଥିଲା | ଏହି ସମୟରେ ପରିବା କାଟୁଥିବା ୪ ଜଣ ମହିଳାଙ୍କ ଦେହରେ ନିଆଁ ଲାଗିଯାଇଥିଲା | ତୁରନ୍ତ ମହିଳାମାନଙ୍କୁ ରାୟଗଡା ଜିଲ୍ଲା ଡାକ୍ତରଖାନାରେ ଭର୍ତି କରାଯାଇଥିଲା | ଆହତ ମହିଳାମାନେ ହେଉଛନ୍ତି କଳାବତୀ ମାଣ୍ଡିଙ୍ଗ, ପାର୍ବତୀ କଣ୍ଡାଗିରି, ଲକ୍ଷ୍ମୀ କଣ୍ଡାଗିରି, ସୁକାନ୍ତି ମିଣିଆକା |
କଳାବତୀଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ କୋରାପୁଟର ସହିଦ ଲଖମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି | ଶେଷ ଖବର ସୁଦ୍ଧା ଅନ୍ୟ ଆହତ ମହିଳାମାନଙ୍କ ଅବସ୍ଥା ବର୍ତମାନ ସ୍ଥିର ରହିଛି | ଗ୍ୟାସ ପାଇପ କୌଣସି କାରଣରୁ ତରଳିଯାଇ ନିଆଁ ଲାଗିଯାଇଥିବାର ସନ୍ଦେହ କରାଯାଉଛି |