କଂଗ୍ରେସକୁ ମେଣ୍ଟ ଭରସା,ନିଷ୍ପତି ନେବେ ରାହୁଲ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ନବଗଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)ର ପ୍ରଥମ ବୈଠକ ବସି କେଉଁ ଦଳ ସହ ମେଣ୍ଟ କରାଯିବ, ସେଥିନେଇ ନିଷ୍ପତ୍ତି ନେବାକୁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କ୍ଷମତା ଅର୍ପଣ କରାଯାଇଛି । ୨୦୧୯ ନିର୍ବାଚନ ପାଇଁ ଦଳ ମେଣ୍ଟ କରିବା ଆରମ୍ଭ କଲାଣି କି ବୋଲି ପ୍ରଶ୍ନ ହେବାରୁ ରାହୁଲ କହିଛନ୍ତି, ‘ଆମେ ଏଥିଲାଗି ଏକ ଗ୍ରୁପ୍ ଗଠନ କରିଛୁ, ଯେ କି ମେଣ୍ଟ ସମ୍ପର୍କରେ ନିଷ୍ପତ୍ତି ନେବ ।’ ନୂଆଦିଲ୍ଲୀରେ ଆଜି ୫ ଘଣ୍ଟ କରି ସରକାରରେ ସାମିଲ ହୋଇଛି । ଆଗକୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଭଳି କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ କଂଗ୍ରେସ କେଉଁ ଦଳ ସହ ମେଣ୍ଟ କରିବ ବା କରିବ ନାହିଁ, ସେ ସମ୍ପର୍କରେ ରାହୁଲ ନିଷ୍ପତ୍ତି ନେବେ । ଉତ୍ତରପ୍ରଦେଶରେ ବିଜେପିକୁ ଚେକ୍ ଦେବାପାଇଁ କଂଗ୍ରେସ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ଉଦ୍ୟମ କରିବ । କିନ୍ତୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଏହି ସର୍ବପୁରାତନ ଦଳ ସହ ମେଣ୍ଟ କରିବାକୁ ଚାହୁଁନଥିବା କୁହାଯାଉଛି । ଆଜି କାର୍ଯ୍ୟକାରୀ କମିଟିରେ ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ ଯୋଗଦେଇ କହିଲେ, ଯେଉଁ ରାଜ୍ୟଗୁଡ଼ିକରେ କଂଗ୍ରେସର ସ୍ଥିତି ଭଲ ରହିଛି, ସେଠାରେ ଦଳ ଏକାକୀ ନିର୍ବାଚନ ଲଢ଼ିବା ଉଚିତ । ତେବେ ଏ ସମ୍ପର୍କରେ ରାହୁଲଙ୍କ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଛାଡ଼ି ଦିଆଯାଇଛି ବୋଲି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍ଗେ ଓ ଅମ୍ବିକା ସୋନି କହିଛନ୍ତି । ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କରେ ଭାଗନେଇ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଜୋରଦାର ହମଲା କରିବାର ୨ ଦିନ ପରେ ଅନୁଷ୍ଠିତ ସିଡବ୍ଲ୍ୟୁସି ବୈଠକରେ ସୋନିଆ ଗାନ୍ଧି କହିଲେ, ଏବେ ଦେଶର ଦଳିତ ଓ ନିଷ୍ପେଷିତ ବର୍ଗ ହତାଶା ମଧ୍ୟରେ ଗତି କରୁଛନ୍ତି । ଆମଙ୍କୁ ଏଥିରୁ ଲୋକଙ୍କୁ ଉଦ୍ଧାର କରିବାକୁ ହେବ । ରାହୁଲ କଂଗ୍ରେସକୁ ‘ଭଏସ୍ ଅଫ୍ ଇଣ୍ଡିଆ’ ଭାବେ ବର୍ଣ୍ଣନା କରି କହିଲେ, ଦେଶର ବର୍ତ୍ତମାନ ଓ ଭବିଷ୍ୟତ ପାଇଁ କଂଗ୍ରେସର ଏକ ଦାୟିତ୍ୱ ରହିଛି । ସିଡବ୍ଲ୍ୟୁସିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯୋଗଦେଇ ରାହୁଲ ଗାନ୍ଧିଙ୍କ ନେତୃତ୍ୱ ପ୍ରତି ପୂର୍ଣ୍ଣା ଆସ୍ଥା ପ୍ରକଟ କରିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣ କରିବାକୁ କୁହାଯାଉଥିଲେ ମଧ୍ୟ କୃଷି ଅଭିବୃଦ୍ଧି ହାର ଆଖିଦୃଶିଆ ହେଉ ନାହିଁ । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି କୃଷି ଅଭିବୃଦ୍ଧି ହାର ୧୪% ହେବା ଆବଶ୍ୟକ । କିନ୍ତୁ ସେଭଳି କିଛି ହେବାର ଲକ୍ଷ୍ୟ କରାଯାଉ ନାହିଁ । ଗତ ସପ୍ତାହରେ ରାହୁଲ ସିଡବ୍ଲ୍ୟୁସିର ନୂଆ ଟିମ୍ ଗଠନ କରିଥିଲେ । ଏଥିରୁ ବରିଷ୍ଠ ନେତା ଦିଗ୍ବିଜୟ ସିଂହ, ଜନାର୍ଦ୍ଦନ ଦ୍ୱିବେଦୀ, କମଲନାଥ, ସୁଶିଲ କୁମାର ସିନେ୍ଧ ଓ କରନ ସିଂହ ବାଦ୍ ପଡ଼ିଛନ୍ତି । ତେବେ ଏହି କମିଟିରେ ଏକେ ଆେ ଅହମ୍ମଦ ପଟେଲ, ଅମ୍ବିକା ସୋନି, ମୋତିଲାଲ ଭୋରା, ଗୁଲାମନବୀ ଆଜାଦ, ମଲ୍ଲିକାର୍ଜୁନ ଖାଡ୍ଗେ, ଆନନ୍ଦ ଶର୍ମା ଓ କୁମାରୀ ଶେଲ୍ଜା ପୂର୍ବପରି ସ୍ଥାନ ପାଇଛନ୍ତି । ସିଡବ୍ଲ୍ୟୁସିରେ ଯେଉଁ ନୂଆ ମୁହଁଗୁଡ଼ିକ ସ୍ଥାନ ପାଇଛି, ସେମାନଙ୍କ ମଧ୍ୟରେ ଅଛନ୍ତି, ମୁକୁଲ ୱାସ୍ନିକ୍, ଅବିନାଶ ପାଣ୍ଡେ, କେସି ବେନୁଗୋପାଳ, ଦୀପକ ବାବାରିଆ, ତାମ୍ବ୍ରଧ୍ୱଜ ସାହୁ ଓ ଅଶୋକ ଗେହଲଟ୍ । ରାହୁଲ ଏଆଇସିସିର ସମ୍ପାଦକଙ୍କ ମଧ୍ୟରୁ ଜିତେନ୍ଦ୍ର ସିଂହ, ଆରପିଏନ୍ ସିଂହ, ପିଏଲ୍ ପୁନିଆ, ଆଶା କୁମାରୀ, ରଜନୀ ପାଟିଲ୍, ରାମଚନ୍ଦ୍ର ଖଣ୍ଟିଆ ପ୍ରମୁଖଙ୍କୁ ସାମିଲ କରିଛନ୍ତି । ଏହାଛଡ଼ା ବିଭିନ୍ନ ଛାମୁଆ ସଂଗଠନ ଆଇଏନ୍ଟିୟୁସି, ସେବା ଦଳ, ଯୁବ କଂଗ୍ରେସ, ମହିଳା କଂଗ୍ରେସ ଓ ଛାତ୍ର କଂଗ୍ରେସର ମୁଖ୍ୟମାନଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସିଡବ୍ଲ୍ୟୁସିରେ ଗ୍ରହଣ କରାଯାଇଛି ।

ଯୋଗଦେଲେ ଓଡ଼ିଶାର ୪ ନେତା

କଂଗ୍ରେସର ନୂତନ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି ସହ ସହଯୋଗୀ ଦଳମାନଙ୍କ ସମ୍ପର୍କରେ ମେଣ୍ଟ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି । ଦେଶର ସାମ୍ପ୍ରତିକ ରାଜନୈତିକ ସ୍ଥିତିରେ ଫାସିଷ୍ଟ ଶକ୍ତି ସହ ଲଢ଼େଇକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗୁରୁତ୍ୱାରୋପ କରିଛନ୍ତି । ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ହେଲେ କଂଗ୍ରେସ ଏଥିପାଇଁ ପ୍ରସ୍ତୁତ ରହିବାକୁ କର୍ମକର୍ତ୍ତାମାନଙ୍କୁ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଗାନ୍ଧି ନିର୍ଦ୍ଦେଶ ଦେଇଛନ୍ତି । ଆଜିର ବୈଠକରେ ୨୦୧୯ ନିର୍ବାଚନ ପାଇଁ ପ୍ରାରମ୍ଭିକ ପ୍ରାର୍ଥୀ ଚୟନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ଏହି କାର୍ଯ୍ୟକାରୀ କମିଟି ବୈଠକରେ ଓଡ଼ିଶାରୁ ୪ ଜଣ ଯୋଗ ଦେଇଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକ, ସିଡବ୍ଳ୍ୟୁସି ସଭ୍ୟ ରାମଚନ୍ଦ୍ର ଖୁଣ୍ଟିଆ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ଏଆଇସିସି ସଭ୍ୟ ବିଶ୍ୱରଂଜନ ମହାନ୍ତିଙ୍କ ସମେତ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଆଜିର ବୈଠକରେ ଯୋଗ ଦେଇଥିଲେ । ଏଆଇସିସି ସଭ୍ୟ ଶ୍ରୀ ମହାନ୍ତି କହିଛନ୍ତି, କାର୍ଯ୍ୟକାରୀ ବୈଠକରେ ୨୦୧୯ ନିର୍ବାଚନ ପାଇଁ ଦଳର ରଣନୀତି ପ୍ରସ୍ତୁତ କରାଯାଇଛି । ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ବୈଠକରେ ଯୋଜନା ପ୍ରସ୍ତୁତ କରାଯାଇଛି । କାର୍ଯ୍ୟକାରୀ ବୈଠକରେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରାଯାଇଛି । ସନ୍ଧ୍ୟାରେ ସବୁ ରାଜ୍ୟର ପିସିସି ସଭାପତି ଓ ଏଆଇସିସି ସାଧାରଣ ସମ୍ପାଦକଙ୍କ ବୈଠକ ଅନୁଷ୍ଠିତ ହୋଇଛି । ଓଡ଼ିଶା ସମ୍ପର୍କରେ ସ୍ୱତନ୍ତ୍ର ଭାବେ କୌଣସି ଆଲୋଚନା ହୋଇନଥିଲେ ମଧ୍ୟ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବାକୁ ରାହୁଲଜୀ ଗୁରୁତ୍ୱ ଦେଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଆଜି ବୈଠକ ଶେଷ ହୋଇଥିଲା ବେଳେ ସାରା ଦେଶରୁ ୧୮୫ ସିଡବ୍ଳ୍ୟୁସି ସଭ୍ୟ ଏଥିରେ ଯୋଗ ଦେଇଥିଲେ ।