କମାଣ୍ଡର ଅଭିନନ୍ଦନଙ୍କ ଆଗମନ ବିଳମ୍ବିତ

ନୂଆଦିଲ୍ଲୀ: ବର୍ତ୍ତମାନ ଇସ୍‌ଲାମାବାଦରୁ ଆସି ଲାହୋର ପହଞ୍ଚଥିବା ଭାରତୀୟ ବୀର ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନ୍‌ ପ୍ରାୟ ଅପରାହ୍ଣ ୪ଟା ବେଳେ ଓ୍ଵାଘା- ଅଟ୍ଟାରୀ ସୀମାରେ ଥିବା ଯୁଗ୍ମ-ଚେକ୍‌ପୋଷ୍ଟରେ ପହଞ୍ଚବାର କାର‌୍ୟ୍ୟକ୍ରମ ଥିଲେ ହେଁ ତାହା ବିଳମ୍ବିତ ହେବ ବୋଲି ଜଣାପଡ଼ିଛି। ସେଠାରେ ହସ୍ତାନ୍ତର ପ୍ରକ୍ରିୟା ସମୟରେ ପ୍ରବଳ ଜନସମାବେଶ ହେବାର ସମ୍ଭାବନା ଥିବାରୁ ପ୍ରତିଦିନ ଓ୍ଵାଘା ବର୍ଡରରେ ଅନୁଷ୍ଠିତ ହେଉଥିବା ଧ୍ୱଜାବତରଣ ଉତ୍ସବକୁ (ବିଟିକ୍‌ ଦ ରିଟ୍ରିଟ୍‌) ବାତିଲ୍‌ କରାଯାଇଛି। ଏଥିସହ କମାଣ୍ଡର ଅଭିନନ୍ଦନ ଭାରତୀୟ ସୀମାକୁ ପ୍ରବେଶ କରିବା ସମୟରେ କୌଣସି ବ୍ୟକ୍ତିଙ୍କୁ ସେ ଅଞ୍ଚଳକୁ ଆସିବାକୁ ଅନୁମତି ଦିଆଯିବ ନାହିଁ। ଗଣମାଧ୍ୟମ ପ୍ରତିନିଧିଙ୍କୁ ଓ୍ଵାଘା ସୀମାରେ ଉପସ୍ଥିତ ରଖିବାକୁ ବାରଣ କରାଯାଇଛି। ଜେନେଭା କନ୍‌ଭେନ୍‌ସନ୍‌ ଅନୁଯାୟୀ, ପାକିସ୍ତାନୀ କର୍ତ୍ତୃପକ୍ଷ ଅଭିନନ୍ଦଙ୍କୁ ପ୍ରଥମେ ରେଡ୍‌କ୍ରସ୍‌ କମିଟିକୁ ହସ୍ତାନ୍ତର କରିବେ। ତା’ପରେ ତାଙ୍କୁ ଭାରତ ଗ୍ରହଣ କରିବ। ଅଭିନନ୍ଦନଙ୍କ ସ୍ୱାଗତ ଲାଗି ଦିଲ୍ଲୀରୁ ଆସୁଥିବା ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ଦଳ ଓ୍ଵାଘାରେ ପହଞ୍ଚିଛି। ଏହାପରେ ଅଭିନନ୍ଦନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ନୂଆଦିଲ୍ଲୀ ନିଆଯିବ ଓ ସେଠାରେ ବାୟୁସେନାର ଏକ ଉଚ୍ଚସ୍ତରୀୟ ଦଳ ଅଭିନନ୍ଦନଙ୍କ ସହ ଆଲୋଚନା କରିବେ।