ବନ୍ଧା ହେଲେ ବୈଜୟନ୍ତଙ୍କ ବନ୍ଧୁ : ମହଙ୍ଗା ପଡ଼ିଲା ଓଡ଼ିଆଙ୍କ ସଂସ୍କୃତି ଓ ଇତିହାସକୁ ବିଦ୍ରୁପ

ଭୁବନେଶ୍ବର : ଶେଷରେ ବନ୍ଧା ହେଲେ ବୈଜୟନ୍ତଙ୍କ ବନ୍ଧୁ । ଓଡ଼ିଶାର ସଂସ୍କୃତି ଓ ଇତିହାସ ଉପରେ ବିଦ୍ରୁପାତ୍ମକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର୍ ମିତ୍ର ଆଇନର ପଞ୍ଝାକୁ ଆସିଛନ୍ତି । ଓଡ଼ିଶା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଦିଲ୍ଲୀରେ ତାଙ୍କୁ ଗିରଫ କରି ଟ୍ରାନଜିଟ୍ ରିମାଣ୍ଡରେ ଆଣିବାକୁ ଚାହିଁଥିଲା । କିନ୍ତୁ କୋର୍ଟ, ତାଙ୍କୁ ଜାମିନ ଦେଇଛନ୍ତି। ଏଣେ ଓଡ଼ିଶାରେ ତାଙ୍କ ବିରୋଧରେ ଆଉ ତିନିଟି ମାମଲା ରୁଜୁ ହୋଇଛି।

ମହଙ୍ଗା ପଡ଼ିଲା ଓଡ଼ିଆଙ୍କ ସଂସ୍କୃତି ଓ ଇତିହାସକୁ ବିଦ୍ରୁପ କରିବା । ଶେଷରେ ବନ୍ଧା ହେଲେ ବୈଜୟନ୍ତଙ୍କ ଅଣ ଓଡ଼ିଆ ବନ୍ଧୁ ଅଭିଜିତ ଆୟାର୍ ମିତ୍ର । ଦିଲ୍ଲୀ ପୋଲିସ୍ ସହାୟତାରେ ଓଡ଼ିଶା ପୋଲିସର ଏକ ଟିମ୍ ନିଜାମୁଦ୍ଦିନ୍ ଅଞ୍ଚଳରୁ ତାଙ୍କୁ ଗିରଫ କରିଥିଲା । ପରେ ସକେତ୍ କୋର୍ଟରେ ହାଜର କରାଇ ଟ୍ରାନଜିଟ୍ ରିମାଣ୍ଡ ଆବେଦନ କରିଥିଲା । କିନ୍ତୁ କୋର୍ଟ, ଅଭିଜିତଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ଆସନ୍ତା ୨୮ ତାରିଖରେ କୋଣାର୍କ ଥାନାରେ ହାଜର ହେବାକୁ ଦିଲ୍ଲୀର ସାକେତ୍ କୋର୍ଟ, ଅଭିଜିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଜିତଙ୍କ ଆୟାର ମିତ୍ରଙ୍କ ଅଶାଳିନ ମନ୍ତବ୍ୟ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରାୟ ପ୍ରକାଶ କରିବା ପରେ ପୁରୀରର ଅରଖକୁଦ ସାମୁଦ୍ରିକ ଥାନାରେ ଏତଲା ରୁଜୁ ହୋଇଥିଲା । ସୋସିଆଲ ମିଡ଼ିଆରେ ଅଭିଜିତଙ୍କ ମନ୍ତବ୍ୟକୁ ନେଇ ବିଧାନସଭା ବି ହୁଲୁସ୍ତୁଲ ହୋଇଥିଲା । ଗୃହରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆସିଥିଲା। ଏତିକିବେଳେ ନ୍ୟୁଜ ସେଭେନରେ ଏକ ଇଣ୍ଟରଭ୍ୟୁରେ ଆହୁରି ତେବର ଦେଖାଇଥିଲେ ଅଭିଜିତ୍‌। ପ୍ରଥମ ମାମଲାରେ ଦିଲ୍ଲୀରେ ସିନା  ଅଭିଜିତ ଜାମିନ ପାଇଛନ୍ତି। କିନ୍ତୁ ପଛକୁ ପଛକୁ ଆହୁରି ମାମଲା ଯୋଡ଼ି ହେଉଛି।  କୋଣାର୍କ ଥାନା ଓ ସହିଦ ନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଭୁବନେଶ୍ବର ଏସଡିଜେଏମ କୋର୍ଟରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି।  ଯେଉଁଥିରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ହେଲିକପ୍ଟରର ଅନ୍ୟ ଯାତ୍ରୀ ଆରତୀ ସିଂହଙ୍କୁ ପକ୍ଷଭୁକ୍ତ କରାଯାଇଛି।

ମୌଳିକ ଅଧିକାର ଓ ବାକ୍ ସ୍ବାଧୀନତାର ଦ୍ବାହି ଦେଇ ଓଡ଼ିଶାର ସଂସ୍କୃତି, ଇତିହାସ ଏପରିକି ଓଡ଼ିଆଙ୍କ ମାନସିକତାକୁ ବିଦ୍ରୁପ ପରେ ବିଦ୍ରୁପ କରି ଚାଲିଥିଲେ ଅଭିଜିତ। ଏବେ ସେ ଆଇନର ପଞ୍ଝାକୁ ଆସିଛନ୍ତି । ଆଶା ଏହା ସୋସିଆଲ ମିଡିଆର ଅଭଦ୍ର ବାଚାଳଙ୍କୁ ସତର୍କ କରିବ ନିଶ୍ଚୟ।