ସିଆଚିନରେହିମସ୍ଖଳନ; ୨ ଯବାନ ସହିଦ

ଶ୍ରୀନଗର:ବିଶ୍ଵର ସବୁଠୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚିନ ଗ୍ଲାସିୟରରେ ଆଜି ବରଫ ଅତଡ଼ା ଧସିବାରୁ ଭାରତୀୟ ସେନାର ଦୁଇ ଯବାନ ସହିଦ ହୋଇଛନ୍ତି। ଦକ୍ଷିଣ ସିଆଚିନ ଗ୍ଲାସିୟରର ୧୮,୦୦୦ ଫୁଟ୍ ଉଚ୍ଚରେ ପେଟ୍ରୋଲିଂ କରୁଥିବା ବେଳେ ହିମସ୍ଖଳନ ହୋଇଥିଲା ଏବଂ ବରଫ ଅତଡ଼ା ତଳେ ଦବି ଯିବାରୁ ଦୁଇ ଯବାନ ସହିଦ ହୋଇଥିବା ଭାରତୀୟ ସେନା ସୂଚନା ଦେଇଛି। 

ହିମସ୍ଖଳନର ସୂଚନା ମିଳିବା ମାତ୍ରେ ସେନାର ରିଲିଫ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଫସିଥିବା ସମସ୍ତ ଯବାନଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ସେନାର ହେଲିକପ୍ଟର ଜରିଆରେ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ମାତ୍ର ମେଡ଼ିକାଲ ଟିମର ସମସ୍ତ ପ୍ରୟାସ ପରେ ମଧ୍ୟ ସେନାର ଦୁଇ ଯବାନଙ୍କୁ ବଞ୍ଚାଯାଇ ପାରିନଥିଲା। ଏହା ପୂର୍ବରୁ ସିଆଚିନ ଗ୍ଲାସିୟରରେ ନଭେମ୍ବର ୧୮ରେ ବରଫ ଅତଡ଼ା ଧସିବାରୁ ୪ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହା ସହିତ ଦୁଇ ଜଣ ସ୍ଥାନୀୟ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା।