ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି ସ୍ୱାମୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି ସ୍ୱାମୀଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ବୟସ ୯୧ ବର୍ଷ ହୋଇଥିଲା । ନୂଆପଡା ଜିଲ୍ଲାର ଖରିଆ ରୋଡସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି ।

ସୂଚନାଯୋଗ୍ୟ, ସ୍ୱର୍ଗତ ଏ.ଭି ସ୍ୱାମୀ ୨୦୧୨ ମସିହା ଏପ୍ରିଲ ୪ ତାରିଖରୁ ୨୦୧୮ ମସିହା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ। ସେ ସ୍ୱାଧୀନ ପ୍ରାର୍ଥୀଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

ସ୍ୱର୍ଗତ ସ୍ୱାମୀ ୧୯୨୯ ମସିହା ଜୁଲାଇ ୧୮ ତାରିଖରେ ନବରଙ୍ଗପୁରଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ୨ ପୁଅ ଓ ୩ ଝିଅ ଅଛନ୍ତି। ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀଙ୍କର ବିୟୋଗରେ ନୂଆପଡ଼ା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।