ଔରଙ୍ଗାବାଦ୍। : ପାଣି ପାଇଁ ହିଂସାକାଣ୍ଡ । ମହାରାଷ୍ଟ୍ର ଔରଙ୍ଗାବାଦରେ ଗୋଷ୍ଠୀ ସଂଘର୍ଷରୁ ଭୟାବହ ସ୍ଥିତି ଉପୁଜିଛି । ଗୁଳି ମାଡରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ 100 ଜଣ ଆହତ ହୋଇଛନ୍ତି ।ଔରଙ୍ଗାବଦା ଜିଲ୍ଲାର କିଛି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି । ଶୁକ୍ରବାର ଦିନ ମୋତିକରଞ୍ଜ ଅଞ୍ଚଳରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର କିଛି ଘରକୁ ବେଆଇନ ପାଣି ସଂଯୋଗରୁ ଆରମ୍ଭ ହୋଇଥିଲା ବିବାଦ ।
ପାଣି ପାଇଁ ଜଳୁଛି ଔରଙ୍ଗାବାଦ୍। ପାଣି ପାଇଁ ମହାରାଷ୍ଟ୍ର ଔରଙ୍ଗାବାଦରେ ବ୍ୟାପକ ହିଂସାକାଣ୍ଡ । ଗୋଷ୍ଠୀ ସଂଘର୍ଷରୁ ଆରମ୍ଭ ହୋଇଥିବା ଏହି ଦଙ୍ଗାରେ ଏପର୍ଯ୍ୟନ୍ତ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 100 ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଛନ୍ତି ୧୫ରୁ ଅଧିକ ପୋଲିସ କର୍ମଚାରୀ । ସଂଘର୍ଷରେ ନବାବପୁରା, ଗାନ୍ଧୀନଗର, ରାଜାବଜାର ଏବଂ ଶାହଗଞ୍ଜ ଅଞ୍ଚଳକୁ ବ୍ୟାପି ଯାଇଥିଲା । ଗଣ୍ଡଗୋଳକାରୀ ପଥରମାଡ ସହ ପାଖାପାଖି ୫୦ଟି ଗାଡି ଓ ଅନେକ ଦୋକାନରେ ନିଆଁ ଲାଗଇଦେଇଛନ୍ତି ।
ମୋତିକରଞ୍ଜ ଅଞ୍ଚଳର କିଛି ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକେ ଘରକୁ ବେଆଇନ ପାଣି ସଂଯୋଗ ନେଇଛନ୍ତି । ଏହାକୁ କେନ୍ଦ୍ରକରି ପ୍ରଥମେ ଗଣ୍ଡଗୋଳ ହୋଇଥିଲା । ପରେ ଏହି ଗଣ୍ଡଗୋଳର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ । ଏହାକୁ ଆୟତ୍ତ କରିବାକୁ ଯାଇ ପୋଲିସକୁ ପ୍ରଥମେ ଲୁହ ବୁହା ଗ୍ୟାସ୍ ପରେ ପ୍ଲାଷ୍ଟିକ୍ ଗୁଳି ଓ ପରେ ଗୁଳି ଚଳାଇବାକୁ ପଡିଥିଲା । ଘଟଣାସ୍ଥଳରେ ପୋଲିସ ମୁତୟନ ସହ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ୍ ଙ୍କ ନିର୍ଦ୍ଦେଶରେ ଗୃହ ମନ୍ତ୍ରୀ ଦୀପକ କେସରକର ଘଟଣାସ୍ଥଳକୁ ଯାଇଛନ୍ତି । ଟ୍ବିଟର, ଫେସ୍ବୁକ୍, ୱାଟସ୍ଅପରେ ଦଙ୍ଗା ସଂପର୍କିତ ଆସୁଥିବା ମେସେଜକୁ ବିଶ୍ବାସ ନକରିବାକୁ ପୋଲିସ ଲୋକଙ୍କୁ ସତର୍କ କରାଇଛି । ପୋଲିସ ହିଂସାଗ୍ରସ୍ତ ଅଞ୍ଚଳରେ ଭିଡିଓ କଲେକ୍ଟ କରିବା ସହ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚଳାଇଛି ।
ବରିଷ୍ଠ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି।ହିଂସାକାଣ୍ଡ ଏବେ ନିୟନ୍ତ୍ରଣରେ ଥିଲେ ବି ଉତ୍ତେଜନା ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ସହରକୁ ପୋଲିସ ଛାଉଣି କରାଯାଇଛି ।