ଭୁବନେଶ୍ୱରର ୩ ମନ୍ଦିରର ଅଡିଟ୍ ଆରମ୍ଭ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଅନନ୍ତ ବାସୁଦେବ ମନ୍ଦିର ଓ କେଦାରଗୌରୀ ମନ୍ଦିରରେ ଏଜି(ଆକାଉଣ୍ଟ୍‌ ଜେନେରାଲ) ପକ୍ଷରୁ ଆଜି ଅଡିଟ୍‌ ଆରମ୍ଭ ହୋଇଛି। ଅନନ୍ତ ବାସୁଦେବ ଓ କେଦାରଗୌରୀ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଅଧୀନରେ ଥିବାରୁ ଏକା ସମୟରେ ତିନି ମନ୍ଦିରର ଅଡିଟ୍‌ ହୋଇଛି। ଏଜିର ୪ ଜଣ ଅଧିକାରୀ ପୂର୍ବାହ୍ଣ ସାଢ଼େ ୧୦ଟାରୁ ଆସି ୩ ମନ୍ଦିରର ଆୟବ୍ୟୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଏଜିର ଅଧିକାରୀମାନେ ପ୍ରଥମେ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟକୁ ଆସିଥିଲେ। ମନ୍ଦିର ବୁଲିବା ପରେ ମନ୍ଦିର କାର୍ଯ୍ୟ ନୀର୍ବାହୀ ଅଧିକାରୀ ପ୍ରଦାପ କୁମାର ସାହୁଙ୍କ ସହ ଆଲୋଚନା ସହ ମହାପ୍ରଭୁଙ୍କର ୩ ବର୍ଷର ଆୟ ବ୍ୟୟ ପଚାରି ବୁଝଇଥିଲେ। ଶ୍ରୀଲିଙ୍ଗରାଜଙ୍କ ନାମରେ କେତେ ଜମି ଅଛି, କେଉଁ ଜମିରୁ ଭାଗ ଚାଷୀ ପାଉଣା ଦେଉଛନ୍ତି, କେଉଁଠୁ ଭଡ଼ା ଆସୁଛି, କେତେ ପାଉଣା ବାର୍ଷିକ ଆଦାୟ ହେଉଛି, ଠାକୁରଙ୍କ ମନ୍ଦିରରେ ଥିବା ହୁଣ୍ଡି, ମନ୍ଦିର ଭିତରେ ଓ ବାହାରେ ଥିବା ଦୋକାନ, ମନ୍ଦିର ପ୍ରଶାସନ ପକ୍ଷରୁ ଦିଆ ଯାଇଥିବା ନିଲାମ, ଠାକୁରଙ୍କ ଉଦ୍ଦେଶ୍ୟରେ ଆସୁଥିବା ଦାନ, ପତାକା ଚଢ଼ାଇବା ପରେ କେତେ ଆୟ ହେଉଛି, ଠାକୁରଙ୍କ ଆସୁଥିବା ଭେଟ, ବିଭିନ୍ନ ମହାସୁଲରୁ ଆୟ, କେତେ କର୍ମଚାରୀ ରହିଛନ୍ତି, କର୍ମଚାରୀଙ୍କ ପାଇଁ କେତେ ଟଙ୍କା ଦରମା ଖର୍ଚ୍ଚ ହେଉଛି, ମନ୍ଦିରରେ କେଉଁ ଯାତ୍ରାରେ କେତେ ଟଙ୍କା ଖର୍ଚ୍ଚ ହେଉଛି ବୁଝିବା ସହ ବ୍ୟୟର ହିସାବ ନେଇଛନ୍ତି।
ଅପରାହ୍‌ଣ ୪ଟାରେ ବାସୁଦେବ ମନ୍ଦିରକୁ ଯାଇ ହୁଣ୍ଡି ବସିଛି କି ନାହିଁ ଦେଖିବା ସହ ‌ଆନନ୍ଦ ବଜାରରେ କେତେ ଅବଢ଼ା ଦୋକାନ ରହିଛି ଗଣି ହିସାବ ନେଇଥିଲେ। ଶେଷରେ କେଦାରଗୌରୀ ମନ୍ଦିରକୁ ଯାଇ ସେଠାରେ ଶ୍ରୀଲିଙ୍ଗରାଜ ମନ୍ଦିରରୁ କଣ ଦିଆଯାଉଛି ବୁଝିବା ସହ କେଉଁ ଆଡ଼ୁ ଆୟ ଆସୁଛି ଓ କେମିତି ବ୍ୟୟ ହୋଇଛି ସେ ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରେ ଥିବା ସେବାୟତମାନେ ମନ୍ଦିରକୁ ଆସୁଥିବା ସ୍ବଳ୍ପ ଆୟ ଏବଂ ମନ୍ଦିରର ସମସ୍ୟା ସମ୍ପର୍କରେ କହିଥିଲେ। ଆସନ୍ତାକାଲି ପୁଣି ଅଡିଟ୍‌ ଚାଲୁ ରହିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଶ୍ରୀ ସାହୁ କହିଛନ୍ତି। ଶ୍ରୀ ସାହୁଙ୍କ କହିବା ଅନୁଯାୟୀ ଅଡିଟ୍‌ ସହ ମନ୍ଦିରର ଉନ୍ନତି ପାଇଁ କ’ଣ ହୋଇପାରିବ ସେ ସମ୍ପର୍କରେ ପଚାରି ବୁଝିଥିଲେ। ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ସେପ୍ଟେମ୍ବର ୨୬ରେ ହୋଇଥିବା ନିଷ୍ପତ୍ତି ମୁତବାକ ରାଜ୍ୟର ୬୧ଟି ମନ୍ଦିର ଓ ମଠ ଗୁଡ଼ିକର ଆକାଉଣ୍ଟ ଅଡିଟ୍‌ ମହାଲେଖାକାରଙ୍କ ତତ୍ତ୍ବାବଧାନରେ ହେବ ବୋଲି ଘୋଷଣା ହୋଇଥିବା ବେଳେ ଏଇ ଆଧାରରେ ଆଜି ଏଠାରେ ଅଡିଟ୍‌ ଆରମ୍ଭ ହୋଇଛି।