୨.୫୫ କୋଟିରେ ନିଲାମ ହେଲା ବାପୁଙ୍କ ଚଷମା

ନୂଆଦିଲ୍ଲୀ: ବିଶ୍ୱର ଅନେକ ଲୋକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏବଂ ତାଙ୍କର ବିଚାରଧାରାକୁ ସମ୍ମାନ କରିନ୍ତି । ସେ ଇହଧାମ ତ୍ୟାଗ କରିବାର ଏତେ ବର୍ଷ ପରେ ମଧ୍ୟ ଗାନ୍ଧୀଙ୍କ ଆଦର୍ଶକୁ ପୂଜା କରାଯାଏ । ଜାତିର ପିତା ବାପୁଙ୍କ ଲୋକପ୍ରିୟତା କେତେ ରହିଛି, ତାହା ତାଙ୍କ ଚଷମାର ନିଲାମ ଦରକୁ ଦେଖିଲେ ଆକଳନ କରାଯାଇପାରିବ । ବାପୁଙ୍କ ଚଷମା ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚଷମାକୁ ବ୍ରିଟେନର ବ୍ରିଷ୍ଟଲରେ ନିଲାମ କରାଯାଇଛି । ଅନଲାଇନ୍ ମାଧ୍ୟମରେ ନିଲାମ ହୋଇଥିବା ବାପୁଙ୍କ ଚଷମାକୁ ଜଣେ ଆମେରିକୀୟ କଲେକ୍ଟର ୨.୫୫ କୋଟି ଟଙ୍କାରେ କିଣିଥିବା ଜଣାପଡିଛି ।

ମହାତ୍ମା ଗାନ୍ଧୀଙ୍କ ଚଷମାକୁ ନିଲାମ କରିଥିବା ଏଜେନ୍ସି ଦାବି କରିଛି ଯେ, ବାପୁ ୧୯୦୦ ଦଶକରେ ଏହି ଚଷମା ଜଣେ ବ୍ୟକ୍ତିଙ୍କୁ ଉପହାର ଦେଇଥିଲେ। ମହାତ୍ମା ଗାନ୍ଧୀଙ୍କୁ ଏହି ଚଷମା ତାଙ୍କ ମାମୁଁ ଦକ୍ଷିଣ ଆଫ୍ରିକାରେ କାମ କରୁଥିବାବେଳେ ଦେଇଥିଲେ ବୋଲି କୁହାଯାଏ । ୧୯୧୦ ରୁ ୧୯୩୦ ମଧ୍ୟରେ ବାପୁଙ୍କୁ ଏହି ଚଷମା ମିଳିଥିଲା । ଯାହାକୁ ଇଷ୍ଟ ବ୍ରଷ୍ଟଲ୍ ନିଲାମ ଏଜେନ୍ସି ଦ୍ୱାରା ନିଲାମ କରାଯାଇଛି ।

ଇଷ୍ଟ ବ୍ରିଷ୍ଟଲ୍ ନିଲାମ ଏଜେନ୍ସି ଅନୁଯାୟୀ, ଚଷମା ନିଲାମ ପୂର୍ବରୁ ଏହା ୧୪ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଟେଣ୍ଡର ସମୟରେ ନିଲାମର ଦର ଦୁଇ କୋଟି ଟଙ୍କାରୁ ଅଧିକ ହୋଇଯାଇଥିଲା। ଶେଷରେ, ଜଣେ ଆମେରିକୀୟ ନାଗରିକ ଏହାକୁ ୨ କୋଟି ୫୫ ଲକ୍ଷ ଟଙ୍କାରେ କିଣିଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ନିଲାମ କମ୍ପାନୀ କହିଛି ଯେ, କେହି ଜଣେ ଏହି ଚଷମାକୁ ଚିଠି ବାକ୍ସରେ ରଖିଦେଇଥିଲେ । ଲଫାପାରେ ଚଷମା ପାଇବା ପରେ ସେ ତାଙ୍କ ମାଲିକଙ୍କ ସହ ଯୋଗାଯୋଗ କରି ଏହାର ଗୁରୁତ୍ବ ବିଷୟରେ ବୁଝିଥିଲେ । ମହାତ୍ମା ଗାନ୍ଧୀ ସମଗ୍ର ବିଶ୍ୱରେ ଅହିଂସା, ପ୍ରେମ, କରୁଣା ଏବଂ ଦୟା ରୂପରେ ମାନବିକତାର ପ୍ରେରଣା ହୋଇ ରହିଛନ୍ତି । ବ୍ରିଟେନ, ଦକ୍ଷିଣ ଆଫ୍ରିକା, ଆମେରିକା ସମେତ ଅନେକ ବଡ ଦେଶରେ ମହାତ୍ମା ଗାନ୍ଧୀଙ୍କ କୋଟି କୋଟି ପ୍ରଶଂସକ ଅଛନ୍ତି।