ଅଟଳଜୀଙ୍କ ଅସ୍ଥି କଳସ ଗ୍ରହଣ କଲେ ବିଜେପି ରାଜ୍ୟ ସଭାପତି, ୨୩ରେ ମହୋଦଧିରେ ହେବ ବିସର୍ଜନ,୨୪ରେ ସାର୍ବଜନୀନ ପ୍ରାର୍ଥନା ସଭା

ଭୁବନେଶ୍ୱର : ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଅସ୍ଥି କଳସ ଗ୍ରହଣ ଦିଲ୍ଲୀରେ ଗ୍ରହଣ କରିଛନ୍ତି ବିଜପେି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ସବୁ ରାଜ୍ୟର ସଭାପତିଙ୍କୁ ଅଟଳଜୀଙ୍କ ଅସ୍ତି କଳସ ପ୍ରଦାନ କରାଯାିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିଥ ଶାହ,ଗୃହ ମନ୍ତ୍ରୀ ରାଜନାଥ ସିଂହ,କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ଓ ଅଟଳୀଜୀଙ୍କ ପାଳିତା କନ୍ୟା ଉପସ୍ଥିତ ଥିଲେ । ଅଟଳବିହାରୀ ବାଜପେୟୀଙ୍କ ଅସ୍ଥି କଳସକୁ ନେଇ ରାଜ୍ୟ ସଭାପତି ବସନ୍ତ ପଣ୍ଡା ସଂଧ୍ୟାରେ ଭୁବନେଶ୍ୱରରେ ପହଁଚିବେ । ପରେ ସ୍ୱର୍ଗତଃ ବାଜପେୟୀଙ୍କର ଅସ୍ଥି କଳସକୁ ଦଳୀୟ କାର୍ଯ୍ୟାଳୟକୁ ଅଣାଯିବା ସହ ରାତିସାରା ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ କରାଯିବ ।

ରାତିରେ ସାଧାରଣ ଲୋକ ଅସ୍ଥି କଳସକୁ ଦର୍ଶନ କରିପାରିବେ । ଆସନ୍ତା କାଲି ୨୩ ତାରିଖ ଦିନ ସକାଳୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ସଭାପତି ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା କେ ଭି ସିଂହଦେଓଙ୍କ ସମେତ ଓଡ଼ିଶାର ସମସ୍ତ ବରିଷ୍ଠ ନେତା ଅସ୍ଥି କଳସକୁ ଧରି ପୁରୀ ଅଭିମୁଖେ ଯାତ୍ରା କରିବେ । ସ୍ୱର୍ଗତ ଅଟଳଜୀଙ୍କ ପବିତ୍ର ଅସ୍ଥି ଭୁବନେଶ୍ୱରରୁ ବାହାରି ଉତ୍ତରା ଛକ ଦେଇ ପୁରୁଣା ପୁରୀ ରାସ୍ତାରେ ପିପିଲି, ଦାଣ୍ଡମୁକୁନ୍ଦପୁର, ସାକ୍ଷୀଗୋପାଳ, ଚନ୍ଦନପୁର, ଅଠରନଳାରେ ପହଞ୍ଚିବ । ସେଠାରେ ପୁରୀ ଅଞ୍ଚଳବାସୀ ଅସ୍ଥି କଳସକୁ ସ୍ୱାଗତ କରିବେ । ଏହାପରେ ମହୋଦଧି ଅଭିମୁଖେ ଅସ୍ଥି କଳସ ଶୋଭାଯାତ୍ରା ଆରମ୍ଭ ହେବ । ଏହାପରେ ମହୋଦଧିରେ ଅସ୍ଥି ବିସର୍ଜନ କରାଯିବ । ସେହିପରି ଆସନ୍ତା ଅଗଷ୍ଟ ୨୪ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ । ଏହି ପ୍ରାର୍ଥନା ସଭାରେ ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ ଓ ସବୁ ଦଳର ନେତା ଓ କର୍ମୀମାନଙ୍କୁ ଉପସ୍ଥିତ ରହି ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ନିବେଦନ କରାଯିବ ।