ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କଲେ ମୋଦି

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ ଅବସରରେ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦ୍ୱାରା ୬ଟି ରାଜ୍ୟର ୮,୩୫୦ ଗାଁର ଲୋକ ଏହାର ଲାଭ ଉଠାଇପାରିବେ । କୃଷକଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଯୋଜନା କରାଯାଇଛି ।

ଅଟଳ ଭୂଜଳ ଯୋଜନାକୁ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନାର ଲାଭ ୬ଟି ରାଜ୍ୟକୁ ମିଳିବ। ଏହି ଯୋଜନାରେ ଉତର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜରାଟ, ହରିୟାଣା, ମହାରାଷ୍ଟ୍ର ଓ ରାଜସ୍ଥାନ ସାମିଲ ରହିଛି । ଏହି ୬ ରାଜ୍ୟର ୮,୩୫୦ ଗାଁ ଏହି ଯୋଜନାର ଲାଭ ପାଇପାରିବେ । କୃଷକଙ୍କ ଆୟ ଦୁଇ ଗୁଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି। ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୬୦୦୦ କୋଟି ଟଙ୍କା ଆବଂଟିତ କରିବେ।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର କ୍ୟାବିନେଟ୍ ନିଷ୍ପତି ପରେ କହିଥିଲେ ଯେ, ଜଳର ସମସ୍ୟାର ମୁକାବିଲା ଲାଗି ଅଟଳ ଭୂଜଳ ଯୋଜନାରେ ୫ ବର୍ଷରେ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରିବ। ଏଥିରେ ୩୦୦୦ କୋଟି ଟଙ୍କା କେନ୍ଦ୍ର ସରକାର ଦେବେ। ଏହି ଯୋଜନାର ଲକ୍ଷ୍ୟ ଦେଶର ସେହି ଅଂଚଳରେ ଭୂଜଳର ସ୍ତର ଉଠାଇବା ରହିଛି, ଯେଉଁ ଅଂଚଳରେ ଜଳସ୍ତର ହ୍ରାସ ପାଇଛି।