ସୋମବାର ଠାରୁ ଆରମ୍ଭ ହେବ ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ

ଭୁବନେଶ୍ବର : ସୋମବାର ଠାରୁ ଆରମ୍ଭ ହେବ ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ। ୪ ମାସ ପାଇଁ କାମଚଳା ବଜେଟ ଆଣି ଜନଅସନ୍ତୋଷ ଦୂର କରିବାକୁ ଉଦ୍ୟମ କରିବେ ସରକାର । ସେପଟେ କିନ୍ତୁ ବିରୋଧୀ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ କାଠଗଡାକୁ ଟାଣିବାକୁ ଉଦ୍ୟମ କରିବେ। ଏଥି ସହ ଗଣତନ୍ତ୍ରକୁ ସରକାର କେତେ ସମ୍ମାନ ଦେଉଛନ୍ତି ତାହା ବି ପରୀକ୍ଷା ହେବ। କାରଣ ସଙ୍କଟରେ ବିରୋଧୀଦଳ ନେତା ମାନ୍ୟତା। ଏମିତିରେ ପଞ୍ଚଦଶ ବିଧାନସଭାର ଏହି ଶେଷ ଅଧିବେଶନ ବେଶ୍‌ ସରଗରମ୍‌ ହେବ ବୋଲି ଅନୁମାନ କରାଯାଉଛି ।
ଆସନ୍ତା ସୋମବାର ଠାରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ପଞ୍ଚଦଶ ବିଧାନସଭାର ଏହା ହେବ ଶେଷ ଅଧିବେଶନ। ନିର୍ବାଚନ ବର୍ଷ ହୋଇଥିବାରୁ ଏହି ଅଧିବେଶନରେ ୪ମାସ ପାଇଁ କାମଚଳା ବଜେଟ ଆଣିବେ ସରକାର। ଏହା କାମଚଳା ବଜେଟ ହୋଇଥିଲେ ବି ସରକାରଙ୍କ ଉପରେ ଅନେକ ଚାପ ରହିବ। କାରଣ ଏହି ବଜେଟ ମାଧ୍ୟମରେ ଜନଅସନ୍ତୋଷ ଚାପିବାକୁ ଉଦ୍ୟମ କରିବେ ସରକାର । ସେଥିପାଇଁ ସରକାର ସବୁ ବର୍ଗଙ୍କୁ ଖୁସି କରିବା ପାଇଁ ବଜେଟ ପ୍ରସ୍ତୁତ କରିପାରନ୍ତି। ଏହି ବଜେଟରେ କୃଷି ଓ କୃଷକଙ୍କୁ ଅଧିକ ଫୋକସ ଦେବେ ସରକାର। ତା ସହିତ ଶ୍ରମିକ, ନିମ୍ନ ଆୟ ବର୍ଗ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଧିକ ଧ୍ୟାନ ଦେଇପାରନ୍ତି ।
ଶେଷ ଅଧିବେଶନ ହୋଇଥିବାରୁ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ଜୋରଦାର୍‌ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି ବିରୋଧୀ । କାରଣ ଏହି ଅଧିବେଶନ ପରେ ସବୁ ଦଳ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ। ତେଣୁ ସାଧାରଣ ଲୋକଙ୍କ ପ୍ରସଙ୍ଗକୁ କେହି ହାତଛଡ଼ା କରିବାକୁ ଚାହିଁବେ ନାହିଁ । ଚିଟଫଣ୍ଡ, ଖଣି, ପାଣି ଠାରୁ ଆରମ୍ଭ କରି କାଳିଆ ଯୋଜନାରେ ମନ୍ତ୍ରୀ ଟଙ୍କା ପାଇବା, ବିଜୁ ଯୁବ ବାହିନୀ, ବିପର‌୍ୟ୍ୟସ୍ତ ଆଇନ୍ ଶୃଙ୍ଖଳା ପର‌୍ୟ୍ୟନ୍ତ ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିବାକୁ ବିରୋଧୀ ପୁରା ଦମ୍‌ ଲଗାଇଦେବେ ।
ସେପଟେ ସରକାର ବି ବିରୋଧୀଙ୍କୁ ସାମ୍ନା କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ସେ ସବୁ ବିଧାନସଭାରେ ଆଲୋଚନା ହେବ। ମହାନଦୀ, ପୋଲାଭରମ, ବିଭିନ୍ନ ଯୋଜନାରୁ ଅର୍ଥ କାଟ, କେନ୍ଦ୍ରୀୟ ଅବହେଳାକୁ ବିଜେଡି ପ୍ରସଙ୍ଗ କରିବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।
ସାତ ଦିନ ଚାଲିବାକୁ ଥିବା ଏହି ବିଧାନସଭା ଅଧିବେଶନରେ ବିଶେଷ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଉପରେ ଏବେ ସମସ୍ତଙ୍କ ଆଖି। କଂଗ୍ରେସର ୩ଜଣ ବିଧାୟକ ହାତ ଛାଡିଥିବା ବେଳେ ସଂଖ୍ୟା ଖେଳରେ ବାଜି ଲାଗିଛି ବିରୋଧୀ ଦଳ ନେତା ପଦବୀ । ସେପଟେ ଆସନ୍ତା କାଲି ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି।