ସର୍ବାଧିକ “କାଳିଆ” ଅଯୋଗ୍ୟ ହିତାଧିକାରୀ କଳାହାଣ୍ଡିରେ; ଦେବଗଡ଼ରେ ସର୍ବନିମ୍ନ

ବିଧାନସଭାରେ ଉତ୍ତର ରଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ  

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ “କାଳିଆ” ଯୋଜନାକୁ ନେଇ ଆରମ୍ଭରୁ ବିବାଦ ରହି ଆସୁଛି । ତେବେ କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ “କାଳିଆ” ଅଯୋଗ୍ୟ ହିତାଧୀକାରୀ ଚିହ୍ନଟ  ହୋଇଥିବା ବିଧାନସଭା ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଉତ୍ତର ରଖିଛନ୍ତି । 

 

ଆଜି ବିଧାନସଭା ଶୀତକାଳୀନ ଅଧିବେଶନରେ ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଛି । ପ୍ରଶ୍ନକାଳରେ “କାଳିଆ”ଅଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ତେବେ “କାଳିଆ”ଯୋଜନାରେ ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କୁ ଟଙ୍କା ମିଳିଛି। ପ୍ରତ୍ୟେକ ୫ ହଜାର ହିସାବରେ ଟଙ୍କା ଦିଆଯାଇଛି। ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ମଧ୍ୟରୁ ୪୫, ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ମଧ୍ୟ ଟଙ୍କା ପାଇଛନ୍ତି  ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ଉତ୍ତର ରଖିଛନ୍ତି । ସେଥିରୁ କଳାହାଣ୍ଡିରେ ସର୍ବାଧିକ ଅଯୋଗ୍ୟ ହିତାଧିକାରୀ ରହିଥିବା ବେଳେ ଦେବଗଡ଼ରେ ସର୍ବନିମ୍ନ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ଅଯୋଗ୍ୟ ଠାରୁ ଟଙ୍କା ଫେରସ୍ତ ଲାଗି ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି । ତେବେ ଅଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ଦେବାରେ ସରକାରୀ ଅଧିକାରୀ, କୃଷି ମନ୍ତ୍ରୀଙ୍କ ତାଳ ମେଳ ରହୁନାହିଁ । କୃଷି ମନ୍ତ୍ରୀ ଗୃହରେ ଭୁଲ ତଥ୍ୟ ଦେଉଥିବା ମଧ୍ୟ ବିରୋଧୀ ଦଳ ଅଭିଯୋଗ କରୁଛନ୍ତି ।