ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ତାହାପୂର୍ବରୁ ସବୁ ବିଧାୟକଙ୍କ କରୋନା ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏସମ୍ପର୍କରେ ବିଏମସି ଓ କ୍ୟାପିଟାଲ ହସପିଟାଲ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୭ ଓ ୨୮ ତାରିଖରେ ବିଧାନସଭା ପରିସରରେ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ସବୁ ବିଧାୟକ, ସେମାନଙ୍କ ଡ୍ରାଇଭର ଓ ବ୍ୟକ୍ତିଗତ ସୁରକ୍ଷା କର୍ମୀ, ବିଧାନସଭାର ସଚିବ ଓ ସବୁ କର୍ମଚାରୀଙ୍କ ଆରଟିପିସିଆର ପରୀକ୍ଷା କରାଯିବ । ମୁଖ୍ୟମନ୍ତ୍ରୀ, ସବୁ ମନ୍ତ୍ରୀ, ବିରୋଧୀଦଳ ନେତାଙ୍କ ଅଫିସ କର୍ମଚାରୀଙ୍କ ଟେଷ୍ଟ କରାଯିବ ।

ଅକ୍ଟୋବର ୪ ରେ ପୁଣି ଥରେ ପରୀକ୍ଷା କରାଯିବ । ଅଧିବେଶନ ମଝିରେ କୌଣସି କାହାକୁ ଅସ୍ୱାଭାବିକ ଲାଗିଲେ ପୁଣିଥରେ ଆଣ୍ଟିଜେନ ପରୀକ୍ଷା କରାଯିବ ।
ସୂଚନାଯୋଗ୍ୟ ଯେ ଆସନ୍ତା ସେପ୍ଟେମ୍ବର ୨୯ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ପାଇଁ ବିଧାନସଭା ବନ୍ଦ ରହିବ । ତେବେ ଅକ୍ଟୋବର ୪ ତାରିଖ ରବିବାର ହେଲେ ମଧ୍ୟ ବିଧାନସଭାର ଅଧିବେଶନ ଚାଲିବ ।