ହମୀରପୁର ବିଧାନସଭା ନିର୍ବାଚନରେ ବିଜେପିର ବିଜୟ, କେରଳରେ ଏଲଡିଏଫର ବାଜିମାତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହମୀରପୁର ବିଧାନସଭାରେ ବିଜେପି ପ୍ରାର୍ଥୀ ଯୁବରାଜ ସିଂହ ବିଜୟୀ ହୋଇଛନ୍ତି, ଅନ୍ୟପଟେ କେରଳରେ କ୍ଷମତାରେ ଥିବା ଏଲଡିଏଫ, ୟୁଡିଏଫକୁ ହରାଇ ବିଧାନସଭା ଆସନରେ ବିଜୟୀ ହୋଇଛି । ବର୍ତ୍ତମାନ ଛତିଶଗଡର ଦାନ୍ତେୱାଡା ଏବଂ ତ୍ରିପୁରାର ବାଧରଘାଟ ଆସନରେ ମତଗଣନା ଜାରି ରହିଛି ।

ଏହି ସମସ୍ତ ଆସନରେ ସୋମବାର ଦିନ ନିର୍ବାଚନ ହୋଇଥିଲା । ୟୁପିର ହମୀରପୁର ଆସନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିଲା । ଖରାବ ପାଣିପାଗ କାରଣରୁ ଏହି ଆସନରେ ୫୧ ପ୍ରତିଶତ ମତଦାନ ହୋଇଥିଲା । ଅନ୍ୟପଟେ ଛତିଶଗଡ ଦାନ୍ତେୱାଡା ବିଧାନସଭା ନିର୍ବାଚନରେ ୬୦.୫୯ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।

ହମୀରପୁର ସଦର ବିଧାନସଭା ଉପ ନିର୍ବାଚନରେ ବିଜେପିର ଯୁବରାଜ ସିଂ ୧୭ ହାଜରୁ ଅଧିକ ମତରେ ଏସପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି । ବିଏସପି ପ୍ରାର୍ଥୀ ନୋଶାଦ ଅଲ୍ଲି ତୃତୀୟ ସ୍ଥାନରେ ଏବଂ କଂଗ୍ରେସ ପ୍ରାର୍ଥୀ ପୂର୍ବପରି ଚତୁର୍ଥ ସ୍ଥାନରେ ରହିଛି । ସମୁଦାୟ ୩୪ଟି ପର‌୍ୟ୍ୟାୟରେ ଏହି ମତଗଣନା ହୋଇଥିଲା ଯେଉଁଥିରେ ବିଜେପିକୁ ଆରମ୍ଭରୁ ଆଗୁଆ ରହିଥିଲା । ବିଜେପିର ଯୁବରାଜ ସିଂହଙ୍କୁ ସମୁଦାୟ ୭୪୧୬୮ ଭୋଟ ମିଳିଥିବା ବେଳେ ଏସପି ପ୍ରାର୍ଥୀ ମନୋଜ କୁମାରଙ୍କୁ ୫୬୩୯୭ ଭୋଟ ମିଳିଛ । କେରଳରେ ଏଲଡିଏଫ ପ୍ରାର୍ଥୀ ମଣି ସି କପ୍ପେନ ୟୁଡିଏଫର ଜୋଷ ଟମ ପୁଲିକ୍କୁନେଲଙ୍କୁ ୨,୯୪୩ ଭୋଟରେ ପରାସ୍ତ କରିଛନ୍ତି । ଅନ୍ୟପଟେ ଦାନ୍ତେୱାଡାରେ କଂଗ୍ରେସ ନିକଟତମ ପ୍ରାର୍ଥୀ ବିଜେପିଠାରୁ ୨୭୭୮ ଟି ଭୋଟରେ ଆଗୁଆ ରହିଛି । ସେହିପରି ତ୍ରିପୁରାର ବାଧରଘାଟ ବିଧାନସଭା ନିର୍ବାଚନ ଆସନରେ ବିଜେପିର ମିନି ମଜୁମଦାର ଆଗୁଆ ଅଛନ୍ତି । ଏହି ଆସନରେ ବିଜେପି ବିଧାୟକ ଦିଲ୍ଲୀପ ସରକାରଙ୍କ ମୃତ୍ୟୁ ହେବା ପରେ ଏହି ଆସନ ଖାଲି ହୋଇଥିଲା ।