ସ୍ୱଭାବିକ ହେଉଛି ଆସାମର ହିଂସା: ଉଠିବ କର୍ଫ୍ୟୁ

ଗୌହାଟୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆସାମରେ ଲାଗିଥିବା ହିଂସା ଆସ୍ତେ ଆସ୍ତେ ସ୍ୱଭାବିକ୍ ହେଉଛି । ତେବେ ଆଜି କର୍ଫ୍ୟୁ ଉଠିବା ନେଇ ସୂଚନା ମିଳିଛି । ସେହିପରି ଇଣ୍ଟରନେଟ ସେବାକୁ ମଧ୍ୟ ପୁଣି ଥରେ ଚାଲୁ କରାଯିବ | ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଥିବାବେଳେ ଆସାମ ହିଂସା ଓ ସମ୍ବଦ୍ଧିତ ଅପରାଧକୁ ନେଇ ୧୩୬ଟି ମାମଲା ରୁଜୁ କରାଯାଇଛି |

ଏବେ ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ୧୯୦ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି | ନାଗରିକତା ଆଇନକୁ ନେଇ ଗତ କିଛି ଦିନ ଧରି ଆସାମରେ ଦେଖାଦେଇଥିବା ହିଂସା ଧୀରେ ଧୀରେ ହ୍ରାସ ପାଉଛି ।

ଏପରି ସ୍ଥିତି ଅବ୍ୟାହତ ରହିଲେ ଆଗାମୀ କିଛି ଦିନରେ ରାଜ୍ୟରୁ ସେନା ଅପସାରଣ କରାଯିବ ବୋଲି ଭାରତୀୟ ସେନା ପକ୍ଷରୁ ଗତକାଲି କୁହାଯାଇଥିଲା । ସେହିପରି କର୍ଫ୍ୟୁକୁ ହଟାଗଲେ ମଧ୍ୟ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖାଯିବ | ଉଭୟ ଦିନ ଓ ରାତ୍ରିକାଳୀନ କର୍ଫ୍ୟୁକୁ ହଟାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କର କ୍ୟାବିନେଟ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି |