୧୮ତମ ଏସିଆନ ଗେମ୍ସ : ପଦକ ଆଶାରେ ୧୨ ଓଡ଼ିଆ ଖେଳାଳୀ

ଜାକତା : ଇଣ୍ଡୋନେସିଆର ଦୁଇଟି ସହର ଜାକର୍ତା ଏବଂ ପାଲେମ୍ବାଙ୍ଗଠାରେ ଶନିବାରଠାରୁ ଆରମ୍ଭ ହେବ ୧୮ତମ ଏସିଆନ ଗେମ୍ସ । ବିଶ୍ୱର ଏହି ଦ୍ୱିତୀୟ ଶ୍ରେଷ୍ଠ ସ୍ପୋର୍ଟ୍ସ ଇଭେଣ୍ଟ ରେ ୪୫ ଦେଶରୁ ୧୧,୦୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏଥିରେ ୪୦ ସ୍ପୋର୍ଟ୍ସର ୬୭ଟି ଇଭେଣ୍ଟ ରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ମେଗା ଇଭେଣ୍ଟ ଉଦଘାଟନୀ କାର୍ଯ୍ୟକ୍ରମ ଶନିବାର ସନ୍ଧ୍ୟା ୫ଟା ୩୦ରୁ ରାତି ୧୦ଟା ଯାଏ ଅନୁଷ୍ଠିତ ହେବ । ସୋନି ଟିଭିରେ ଏହାର ସିଧା ପ୍ରସାରଣ ସନ୍ଧ୍ୟା ୬ଟା ୧୫ରୁ ଭାରତରେ ଦେଖିବେ । ଭାରତରୁ ୩୬ଟି ସ୍ପୋର୍ଟ୍ସରେ ୫୭୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ସେପ୍ଟେମ୍ବର ୨ରେ ଏହି ମେଗା ଇଭେଣ୍ଟ ଶେଷ ହେବ

ପଦକ ଆଶାରେ ୧୨ ଓଡ଼ିଆ ଖେଳାଳୀ

 

 

 

ଭୁବନେଶ୍ୱର : ୧୮ତମ ଏସିଆନ ଗେମ୍ସରେ ଅଂଶଗ୍ରହଣ ଲାଗି ୧୨ ଜଣ ଓଡ଼ିଆ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧା ପ୍ରତିଯୋଗୀ ହକି ଖେଳରେ ସ୍ଥାନ ପାଇଛନ୍ତି । ସ୍ୱର୍ଣ୍ଣ ପଦକ ଜିତିବାକୁ ଆଶାୟୀ ଥିବା ପୁରୁଷ ହକି ଦଳରେ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି । ସେହିପରି ମହିଳା ଦଳରେ ୪ଜଣ ଖେଳାଳି ରହିଛନ୍ତି । ଏସିଆନ ଚାମ୍ପିଅନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ, ସୁନୀତା ଲାକ୍ରା ଏବଂ ଲିଳିମା ମିଞ୍ଜ ଏହି ଦଳରେ ରହିଛନ୍ତି । ଆଥଲେଟିକ୍ସରେ ମଧ୍ୟ ଭାରତ ଲାଗି ଓଡ଼ିଆ ପ୍ରତିଯୋଗୀ ପଦକ ଜିତିବାର ସମ୍ଭାବନା ରହିଛି । ସେମାନଙ୍କ ମଧ୍ୟରେ ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ମହିଳା ୧୦୦ ଏବଂ ୨୦୦ ମିଟର, ଜଉନା ମୁର୍ମୁ ମହିଳା ୪୦୦ ମିଟରରେ, ପୂର୍ଣ୍ଣିମା ହେମ୍ବ୍ରମ ହେପ୍ଟାଥଲନରେ ଭାଗ ନେଉଛନ୍ତି । ଜିମ୍ନାଷ୍ଟିକ୍ସରେ ରାକେଶ ପାତ୍ର ଚମକ୍ରାର ପ୍ରଦର୍ଶନ ଦେଉଥିଲେ ମଧ୍ୟ ଫାଇନାଲରେ ଫେଲ୍ ହେଉଛନ୍ତି । ଏଥର ତାଙ୍କଠାରୁ ପଦକ ଆଶା ରହିଛି । ବ୍ୟାଡମିଣ୍ଟନ ରେ ଋତୁପର୍ଣ୍ଣା ପଣ୍ଡା ଏବଂ ରୋଇଂରେ ସଂଯୁକ୍ତା ଡୁଙ୍ଗଡୁଙ୍ଗ ଅଂଶଗ୍ରହଣ କରିବେ ।